ବୌଦ୍ଧ:- ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମକୁ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୨ଜଣ କପାଚାଷୀଙ୍କ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମରେ ପ୍ରାୟ ୧୫ ବର୍ଷ ହେବ ଆନ୍ଧ୍ରପ୍ରଦେଶର କପାଚାଷୀମାନେ ରହି କପାଚାଷ କରୁଛନ୍ତି । ଗତ ଜାନୁୟାରୀ ମାସରେ କପା ଅମଳପରେ ସେମାନେ ଆନ୍ଧ୍ର ଚାଲିଯାଇଥିଲେ । ଏବେ ୩ମାସ ପରେ ଆଜି ଦିନ ପ୍ରାୟ ୨ଘଣ୍ଟା ସମୟରେ ଏକ କାର ଯୋଗେ ଗୋପିନାଥପୁର ଗ୍ରାମକୁ ଫେରିଛନ୍ତି ।
ଆନ୍ଧ୍ରରୁ ଫେରିଥିବା ଲୋକଙ୍କୁ ଦେଖି କ୍ୱାରେଣ୍ଟାଇନରେ ରଖିବାପାଇଁ ଗ୍ରାମବାସୀ ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚଙ୍କୁ କହିଥିଲେ । ସରପଞ୍ଚ ସେମାନଙ୍କର ସଂପର୍କରେ କୌଣସି ପଦକ୍ଷେପ ନେବାକୁ ମନା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହି କପାଚାଷୀଙ୍କ ପାଖରେ ନିୟମିତ କାମକରି ଆସୁଥିବା ନିଜ ଗ୍ରାମର ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗ୍ରାମରେ ଆଜି ସନ୍ଧ୍ୟାରେ ପୁରାଇ ନଦେବାପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡିଛି । ବ୍ଲକ ତଥା ଗ୍ରାମପଞ୍ଚାୟତ ସ୍ତରରେ ଥିବା ନୋଡାଲ ଅଫିସର ଓ କର୍ମକର୍ତ୍ତା ତୁରନ୍ତ ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post