ବୌଦ୍ଧ:ଓଡିଶାର ବିଭିନ୍ନ ଜିଲ୍ଲାରେ ଖାଇବାଲୁଣ ଦରରେ ଅହେତୁକ ବୃଦ୍ଧି ଖବର ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲସେଲରମାନେ ଲୁଣର ଦାମ ବଢାଇ ଦେଇଥିବା ଅଭିଯୋଗ ହୁଏ । ଅଧ କିଲୋଗ୍ରାମ ଓ ଏକ କିଲୋଗ୍ରାମ ପ୍ୟାକେଟ ବିଶିଷ୍ଟ ଖାଇବା ଆୟୋଡିନ ଲୁଣର ବସ୍ତାପ୍ରତି ଦର ଗତକାଲି ଯାଏଁ ୧୫୦ ରୁ ୧୬୦ ଟଙ୍କା ମଧ୍ୟରେ ହୋଲସେଲରମାନେ କିରାନା ଦୋକାନୀମାନଙ୍କୁ ବିକ୍ରି କରୁଥିଲେ । ବିଭିନ୍ନ ସ୍ଥାନରେ କଂପାନୀମାନେ ଲୁଣ ଉତ୍ପାଦନ କରୋନା ପାଇଁ ବନ୍ଦ କରିଦେଇଥିବା ଗୁଜବ ପ୍ରଚାରିତ ହେବାପରେ କିଛିଦିନ ହେଲା ଓଡିଶାର ବିଭିନ୍ନ ସ୍ଥାନରେ ଲୁଣ ଚଢାଦରରେ ବିକ୍ରି ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଏଭଳି ଗୁଜବର ତଦନ୍ତ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅସାଧୁ ବେପାରୀମାନେ ଏଥିରୁ ଲାଭ ଉଠାଇବାକୁ ଲାଗିପଡିଛନ୍ତି ।
ଆଜି ସକାଳୁ ହୋଲସେଲରମାନେ ମଧ୍ୟ ବୌଦ୍ଧଜିଲ୍ଲାରେ ଲୁଣ ବସ୍ତାପ୍ରତି ପ୍ରାୟ ଦୁଇଗୁଣା ଦରରେ ବିକ୍ରି କରିବା ଆରମ୍ଭ କରିଦେଇଥିବା ରିଟେଲରମାନେ ଅଭିଯୋଗ କରୁଛନ୍ତି । ହୋଲସେଲର ଦର ଦୁଇଗୁଣା ବୃଦ୍ଧିପାଇଥିବାରୁ ସେମାନେ ଗ୍ରାହକଙ୍କୁ ଏହା କେତେ ଦରରେ ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । କରୋନା ନାମରେ ପ୍ରଶାସନ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ଆଖି ବୁଜି ଦେଇଥିବାକୁ ସାଧାରଣ ମହଲରେ ନାପସନ୍ଦ କରାଯାଉଛି । ଜିଲ୍ଲା ପ୍ରଶାସନ ଅହେତୁକ ଦରବୃଦ୍ଧିକୁ ଅଙ୍କୁଶ ଲଗାଇବା ପାଇଁ ଲାଭଖୋର ଅସାଧୁ ବ୍ୟବସାୟୀମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି ।ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଲୁଣ ଦରବୃଦ୍ଧି ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ଓ ଆମେ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
Sign in
Sign in
Recover your password.
A password will be e-mailed to you.