ବୌଦ୍ଧଜିଲ୍ଲା ଶିକ୍ଷକ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ! ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ

0 3,205

ବୌଦ୍ଧ:ଦୀର୍ଘବର୍ଷ ପରେ ବୌଦ୍ଧଜିଲ୍ଲାର ଲେବଲ୍ -୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବାକୁ ଆଶା ବାନ୍ଧିଥିବାବେଳେ ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁରଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କ ଆଶା ମଉଳିବାରେ ଲାଗିଛି ବୋଲି ଅଭିଯୋଗ ଉଠିଛି । କୋର୍ଟ ଆଦେଶକୁ ଭୁଲ ତର୍ଜମାକରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିଠିର ଆଳଦେଖାଇ ୨୦୦୯ର ମାର୍ଗଦର୍ଶିକା ଅନୁସାରେ ପଦୋନ୍ନତି ଦେବାକୁ ଜିଲ୍ଲାଶିକ୍ଷାଧୀଶ ଜିଦ୍ ଧରିଥିବା ଶିକ୍ଷକମାନେ ଅଭିଯୋଗ କରନ୍ତି । ୨୦୧୭ ମସିହା କୋର୍ଟ ଆଦେଶକୁ ବୌଦ୍ଧର ଦୁଇଦୁଇ ଜଣ ଡିଇଓ କାର୍ଯ୍ୟକାରୀ କରିନଥିବାବେଳେ ଏବେ ଡିଇଓ ଭାବେ ଜଏନ କରିଥିବା ଶ୍ରୀ କୁଜୁର କାର୍ଯ୍ୟକାରୀ କରିବାକୁ ଜିଦ୍ ଧରିଥିବା ପ୍ରକୃତ କାରଣ କଣ ଏନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଏ ନେଇ ପ୍ରଚୁର ଅର୍ଥ ଆଦାୟ ହୋଇଥିବା ମଧ୍ୟ ଅଭିଯୋଗ ହୁଏ । ପୂର୍ବରୁ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ, ଛୁଟିମଞ୍ଜୁର କରିବା, ବକେୟା ପାଉଣା ତଥା ଅନ୍ୟାନ୍ୟ କାମରେ ବହୁଅର୍ଥ ଦାବି ହେଉଥିବା ଓ ଅର୍ଥ ପାଇଲେ ଯାଇ ଶିକ୍ଷକଙ୍କ କାମ ହେଉଥିବା ପରି ଗୁରୁତର ଅଭିଯୋଗ ଏହି କାର୍ଯ୍ୟାଳୟ ଉପରେ ରହିଛି । ନିକଟରେ ନିୟମିତ ହୋଇଥିବା ପ୍ରାଥମିକ ଶିକ୍ଷକଙ୍କ ନିୟମିତ ହେବା ଅର୍ଡରରେ ଦରଖାସ୍ତ ଦେବାପାଇଁ ଅର୍ଥ ଦାବି କରାଯାଇଥିବା ଅଭିଯୋଗ ଉଠିଛି । ମୁଲଚାଲ ହେବାପରେ ଦସ୍ତଖତ ହେଉଥିବା କୁହାଯାଇଛି । ଏହି ବିବାଦୀୟ ଅଫିସର କିଛି ଶିକ୍ଷକଙ୍କୁ ୨୦୧୯ ଗାଇଡଲାଇନ ଅନୁସାରେ ପଦୋନ୍ନତିରୁ ବଞ୍ଚିତ କରୁଥିବାବେଳେ ଉଦ୍ଦେଶ୍ୟମୂଳକ ଭାବେ କିଛି ଶିକ୍ଷକଙ୍କୁ ଏପରିକି ଅବସର ନେଇଥିବା ନେବାକୁଥିବା ଶିକ୍ଷକଙ୍କୁ ପୁଣି ପଦୋନ୍ନତି କମିଟିର ବିନା ସୁପାରିଶରେ ପଦୋନ୍ନତି ଦେବାର ମସୁଧା ଚାଲିଥିବା ମଧ୍ୟ ଅଭିଯୋଗ ହୁଏ । ୨୦୧୭ ମସିହାରୁ ଅଦାଲତ ରାୟ ଦେଇ ସାରିଥିବାବେଳେ ଆଜି ଯାଏଁ କାହିଁକି ଏହା କାର୍ଯ୍ୟକାରୀ କରାଯାଇନଥିଲା ବୋଲି ପଦୋନ୍ନତିରୁ ବଞ୍ଚିତ ହେଉଥିବା ଶିକ୍ଷକମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । କାର୍ଯ୍ୟାଳୟର ଯେଉଁ କର୍ମଚାରୀ ଅଦାଲତର ଆଦେଶକୁ ଚପାଇ ରଖିଥିଲେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । । ଯଦି ୨୦୧୯ ଗାଇଡଲାଇନ ଅନୁସାରେ ପଦୋନ୍ନତି ଦିଆନଯାଏ ଆଗାମୀ ଦିନର ପରିସ୍ଥିତି ପାଇଁ ଡିଇଓ ଦାୟୀ ରହିବେ ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ବୌଦ୍ଧଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀ, ମାନ୍ୟବର ବୌଦ୍ଧ ବିଧାୟକ, କଣ୍ଟାମାଳ ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏ ସମସ୍ତ ଅଭିଯୋଗ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୁଜୁରଙ୍କୁ ପଚାରିବାରୁ ପଦୋନ୍ନତିରେ ଅର୍ଥ କାରବାର ହେଉଥିବା ସଂପୂର୍ଣ୍ଣ ମିଥ୍ୟା ଓ ଅମୂଳକ ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପ କ୍ଷଙ୍କୁ ମଗାଯାଇଥିବା ସ୍ପଷ୍ଠୀକରଣ ଆସିଲେ ଏ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ କୁଜୁର କହିଥିଲେ ।

hiranchal ad1
Leave A Reply

Your email address will not be published.

10 − 4 =