ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଛି । ଆଜି ସଂଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡରେ ପରିଣତ ହେବ । ଏହାପରେ ଏହାର ଗତି ଓଡିଶା ଉପକୂଳ ନେଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆସନ୍ତା ୨୦ ତାରିଖ ମଧ୍ୟାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ବିସ୍ତୃତ ତଥ୍ୟ ରଖିଛନ୍ତି । ଏସ୍ଆରସିଙ୍କ ସୂଚନା ଅନୁଯାୟୀ ବାତ୍ୟା ଅମ୍ଫାନ୍ ଏବେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୨୦ କି.ମି. ବେଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ । ତେବେ ଓଡିଶା ପ୍ରତି ଏହାର କେତେ ପ୍ରଭାବ ରହିବ । ଏହା ଆଜି ମଧ୍ୟରାତ୍ର ସୁଦ୍ଧା ସ୍ପଷ୍ଟ ହୋଇଯିବ । ବାତ୍ୟା \”ଅମ୍ଫାନ\’ କାରଣରୁ ଉତ୍ତର ଓଡିଶାର ଉତ୍ତର ଉପକୂଳ ସମେତ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି । ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ଜାଗତିଆର ରହିବା ପାଇଁ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲାରେ ଓଡିଶାର ପୂର୍ବ ଅଭିଜ୍ଞତା ଥିବାରୁ ଆମକୁ ବିଶେଷ ଅସୁବିଧା ହେବ ନାହିଁ । ତଥାପି କରୋନା ମହାମାରୀ ସଂକଟ ସମୟରେ ବାତ୍ୟା ସଂକଟ ଟାଳିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପଠାରୁ ୧୧ଶହ କି.ମି ଦୂରରେ ବାତ୍ୟା ଅମ୍ଫାନ ରହିଛି । ସେହିଭଳି ପଶ୍ଚିମବଙ୍ଗର ଦିଘାଠାରୁ ୧୨୫୦ କି.ମି., ବାଂଲାଦେଶଠାରୁ ୧୩୩୦ କି.ମି. ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୨୦ରୁ ୩୦ କି.ମି. ବେଗରେ ଏହା ଗତି କରୁଛି । ଆସନ୍ତାକାଲି ରବିବାର ଅପରାହ୍ନରେ ଏହା ଉତ୍ତରପୂର୍ବ ଦିଗକୁ ଗତି କରିବ । ଏଥିପାଇଁ ଓଡିଶାର ଉତ୍ତର ଉପକୂଳ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏଣୁ ବାତ୍ୟାର ଗତି ଅନୁଯାୟୀ ଆସନ୍ତାକାଲି ମଧ୍ୟାହ୍ନରୁ ପାଗରେ ପରିବର୍ତ୍ତନ ଆସିବ । ଘଡିଘଡି ସହ ଝିପିଝିପି ବର୍ଷା ହେବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବ ବୋଲି ଆଶା କରାଯାଉଛି । ଏଣୁ ବାତ୍ୟାର ନିଶ୍ଚିତ ସମ୍ଭାବନାକୁ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରହିଛି ବୋଲି ଏସ୍ଆରସି କହିଥିଲେ ।