ପୁରୀ : ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ଆଜି ପରମ୍ପରା ମୁତାବକ ନୂଆ ଲୁଗାରେ କାଠକୁ ଆଚ୍ଛାଦିତ କରି ପୁଜାର୍ଚ୍ଚନା ଓ ସଂର୍କୀତନ କରି ଶୋଭାଯାତ୍ରାରେ ଏକ ଶଗଡରେ ଶ୍ରୀକ୍ଷେତ୍ରରେ ଆସି ପହଁଚିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିବା ବେଳେ ଏହି ଚଉପଟ ବଉଳ କାଠ ମହାପ୍ରଭୁଙ୍କ ସେନାପଟା ନୀତିରେ ଲାଗିଥାଏ । ଏହାକୁ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି କରାଯାଇଥାଏ ।ଆଜି ଏହି କାଠ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ କାଠକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠକୁ ରଖାଯାଇଛି । ଆସନ୍ତା କାଲି ଚମ୍ପକ ଦ୍ୱାଦଶୀ ଓ ଦଇତା ପ୍ରବେଶ ସହ ହେବ ବାହୁଟ କଣ୍ଟ ନୀତି । ଆଉ ତା ପରଦିନ ବଉଳ କାଠକୁ ମପାଚୁପା ପରେ ସେନାପଟା ଲାଗି କରାଯିବ । ସ୍ନାନପୂର୍ଣ୍ଣିମାରେ ପହଣ୍ଡି ପାଇଁ ବଉଳ କାଠକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି ।