କବି ସୁଷମା ନାୟକଙ୍କର ପୁସ୍ତିକା ସୋରିଷ ଫୁଲ ଲୋକାର୍ପିତ

0 46

ଭୁବନେଶ୍ୱର,୧୨/୦୬: କବି ସୁଷମା ନାୟକଙ୍କର କବିତା ପୁସ୍ତକ ‘ସୋରିଷ ଫୁଲ’ ଆଜି ଭୁବନେଶ୍ୱର ଠାରେ ଉନ୍ମୋଚିତ ହୋଇଛି । ଏହି ପୁସ୍ତିକ ଉନ୍ମୋଚନ କରି ଅବସରପ୍ରାପ୍ତ ପ୍ରଧାନ ଆୟୁକ୍ତ ବିଜୟ ମଲ୍ଲିକ ଆମ ଜନ-ଜୀବନ ସହ ଜଡିତ ଅନେକ ପର୍ବ, ପ୍ରକୃତି, ପ୍ରେମ ଆଉ ସମର୍ପଣ ସମ୍ପର୍କରେ ଅତି ଚମତ୍କାର ଭାବେ ସୋରିଷ ଫୁଲ କବିତା ପୁସ୍ତକରେ ବର୍ଣ୍ଣନା କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ବିଶିଷ୍ଟ ଶିକ୍ଷାବିତ୍‌ ତଥା ଗବେଷକ ଓ କବି ଅନିରୁଦ୍ଧ କୁରୁକୁରିଆ ଏହି ପୁସ୍ତକର ସମୀକ୍ଷା କରି ‘ସୋରିଷ ଫୁଲ’ର ନିଆରା ପଣ ହିଁ ଏହାର ସ୍ୱାତନ୍ତ୍ର୍ୟ ବୋଲି କହିଛନ୍ତି । ଭୀମଭୋଈ ରିସର୍ଚ୍ଚ ସେଣ୍ଟରର ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ରଥଙ୍କର ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଆୟୁକ୍ତ ମାଧବ ଚନ୍ଦ୍ର ମିଶ୍ର, ପ୍ରାକ୍ତନ ଅଧୀକ୍ଷକ ଗୌରାଙ୍ଗ ଚରଣ ରାଉଳ ଏବଂ ବିଶିଷ୍ଟ କବି ନାରାୟଣ ମୁଦୁଲି ପ୍ରମୁଖ ଅଂଶଗ୍ରହଣ କରି କବି ସୁଷମା ନାୟକଙ୍କର ପ୍ରକୃତି ସହିତ ଥିବା ନିବିଡତା ଏବଂ ନୀତିଦିନିଆ ଜୀବନର ଅନେକ ଘଟଣାବଳୀକୁ ସୋରିଷ ଫୁଲ କବିତା ଜୀବନ୍ତ ରୂପ ଦେବାରେ ସଫଳ ହୋଇଛି ବୋଲି ପ୍ରକାଶ କରିଛନ୍ତି ଏବଂ ପାଠକ-ପାଠିକାଙ୍କ ଗହଣରେ ଏହି କବିତା ପୁସ୍ତକଟି ବହୁମାତ୍ରାରେ ଆଦୃତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ପୁଣ୍ୟ ଦର୍ଶନ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡ. ପ୍ରସନ୍ନକୁମାର ନାୟକ ଏବଂ ଅନ୍ୟାନ୍ୟ ସାହିତ୍ୟ ପ୍ରେମୀ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କବି ସୁଷମା ନାୟକଙ୍କର ପ୍ରକୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହା ଦ୍ୱିତୀୟ କବିତା ପୁସ୍ତକ । ୯୦ଟି କବିତା ସମ୍ବଳିତ ଏହି ୧୧୧ ପୃଷ୍ଠାର ପୁସ୍ତକକୁ ବନଫୁଲ ପ୍ରକାଶନୀ, ଭୁବନେଶ୍ୱର ପକ୍ଷରୁ ପ୍ରକାଶ କରାଯାଇଛି ।

hiranchal ad1
Leave A Reply

Your email address will not be published.

sixteen − 4 =