ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୩୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୧୩୦ ଗୋଟି, ସାମୁହିକ ଦରଖାସ୍ତ ୨ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି । ଗ୍ରହଣ କରାଯାଇଥିବା ୧୩୨ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୮୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୪୫ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିନିକା ବ୍ୟାସଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ. ବିଭୂପ୍ରସାଦ ପଣ୍ଡା, ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ବ୍ଲକ ଉପାଧ୍ୟକ୍ଷ ନିର୍ମଳ ସାଣ୍ଢ,ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଆସନ୍ତା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଚଳିତ ୨୦ ତାରିଖ ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।