ବୌଦ୍ଧ,୨୧/୬:- ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ରହିଥିବା ଭିକାରୀ ମଣ୍ଡପ ଠାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର ଓ ଭାରତ ସ୍ୱାଭିମାନ ଟ୍ରଷ୍ଟ ଏବଂ ଜିଲ୍ଲାର ସମସ୍ତ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କୁ ନେଇ ମିଳିତ ଭାବେ ଆୟୋଜନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବବିତାରାଣୀ ଦଳବେହେରା ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏନ୍.ୱାଇ.କେ. ଅଧିକାରୀ ନବନୀତ କୁମାର, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ରଚରଣ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁ ଭୋଇ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟକାନ୍ତ ଦଳବେହେରା, ସଂଘ ପରିବାରର ଲକ୍ଷ୍ମଣ ଭାଇ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରରେ ଯୋଗ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ଶିକ୍ଷକ ପଦ୍ମଚରଣ ମେହେର ଯୋଗାଭ୍ୟାସ କରାଇଥିବାବେଳେ ମୁଖ୍ୟ ଯୋଗ ଶିକ୍ଷକ ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ ସଂଯୋଜନା କରିଥିଲେ ।
ଏହି ଶିବିରରେ ବୌଦ୍ଧଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଯୋଗ ମହୋତ୍ସବ ସମିତି, ପତଞ୍ଜଳି ଯୋଗ ସମିତି, ଗାୟତ୍ରୀ ପରିବାର, ସଂଘ ପରିବାର, ମାରୱାଡି ଯୁବା ମଂଚ, ଭୈରବୀ କ୍ଲବ, ୟୁଥ୍ ରେଡକ୍ରସ, ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନର ସଦସ୍ୟ ଓ କର୍ମକର୍ତ୍ତର୍ମାନେ ଯୋଗଦାନ କରିଥିଲେ । ବୌଦ୍ଧ ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପତଂଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ହୃଷିକେଶ ପ୍ରଧାନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବାଶିଷ ପୁରୋହିତ, ସୁଶାନ୍ତ ମହାପାତ୍ର ଓ ଦିଲ୍ଲୀପ କୁମାର ଚୌଧୁରୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।
ସେହିପରି ଶିଳ୍ପ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ନଟବର ଅଗ୍ରୱାଲା ଯୋଗ ପ୍ରଶିକ୍ଷଣ ଅଭ୍ୟାସ କରାଇଥିଲେ । ଦିବ୍ୟ ଜୀବନ ସଂଘ ପରିସରରେ ଯୋଗ ଓ ବୁଦ୍ଧଂ ଅନୁଷ୍ଠାନ ତରଫରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମନରଞ୍ଜନ ମହାପାତ୍ର ଓ ସୁବାସ ଭୋଇ ଯୋଗାଭ୍ୟାସ କରାଇଥିଲେ । ବରିଷ୍ଠ ନାଗରିକମାନଙ୍କ ତରଫରୁ ଖେଳପଡିଆ ଠାରେ ଅନୁଷ୍ଠିତ ଶିବିରରେ ସଂପାଦକ ଅକ୍ଷୟ କୁମାର ମହାନ୍ତି ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହିଳା ପତଂଜଳି ଯୋଗ ସମିତି ତରଫରୁ ଆୟୋଜିତ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମରେ ସଂପାଦିକା ଯୋଗ ଶିକ୍ଷୟତ୍ରୀ ରଂଜିତା ମିଶ୍ର ମହିଳା ଓ ଛାତ୍ରୀମାନଙ୍କୁ ପ୍ରୋଟକଲ ଯୋଗ ତାଲିମ ପ୍ରଦାନ କରିଥିଲେ । ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସକୁ ଆଜି ମହାସମାରୋହରେ ପାଳନ କରାଯାଇଛି ।