ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଅଭିନେତା ରାଇମୋହନ । ତେବେ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚକ୍ଷୁଦାନ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଆଜିର ଦିନଟି ଓଡିଆ ସିନେ ଏବଂ ଯାତ୍ରା ଜଗତ ପାଇଁ ଏକ କଳା ଦିନ । କଳା କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି । ଆଉ ଶୁଣିବାକୁ ମିଳିବନି ସିନେ ଏବଂ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନଙ୍କ ଡାଇଲଗ୍ । ତାଙ୍କ ସଂଳାପକୁ ଝୁରିବ ମଞ୍ଚ ଏବଂ ଝୁରିବେ ଜନତା । ପ୍ରାୟ ତିନି ଦଶନ୍ଧି ଧରି ସିନେ ଜଗତରେ ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ରାଇମୋହନ । ୧୯୮୬ରେ ସେ ‘ ପକା କମ୍ବଳ ପୋତ ଛୋତା’ ଫିଲ୍ମରୁ ଓଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ୧୯୮୭ରେ ‘ସାଗର’ ଫିଲ୍ମରେ ତାଙ୍କୁ ପରିଚୟ ମିଳିଥିଲା ।