ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା; ୩ ମୃତ, ୬ ଗୁରୁତର

0 292

ସୁବର୍ଣ୍ଣପୁର : ଆଜି ସକାଳେ ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ ଅନ୍ତର୍ଗତ ବଡ଼ବାହାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଖବର ଅନୁଯାୟୀ ଅଟୋ ଓ ବାଇକକୁ ଏକ ଆର୍ଟିଗା ଗାଡି ଧକ୍କା ଦେବା ଫଳରେ ରାସ୍ତାପାର୍ଶ୍ୱରେ ଠିଆହୋଇଥିବା ଏକ ବାଇକ ଓ ଅଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣଙ୍କ ମୃତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ବାଲାଙ୍ଗୀର ପଟରୁ ଆସି ବଡବହାଲି ଛକନିକଟରେ ରାସ୍ତା କଡରେ ଜଣେ ବାଇକ ଆରୋହୀ ଜଣେ ଅଟୋ ଚାଳକଙ୍କ ସହ କଥା ହେଉଥିବା ସମୟରେ ସୋନପୁରରୁ ବଲାଙ୍ଗୀରକୁ ଯାଉଥିବା ଏକ ଆର୍ଟିଗା କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲା ରାଘପାଲି ଅଂଚଳର ବୋଲି ଜଣାପଡିଛି । ସବୁଦିନ ଭଳି ଆଜି ମଧ୍ୟ ରାଘପାଲି ଅଂଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରୀକରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଆର୍ଟିଗା ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ ଗାଡିରେ ଗୋଟିଏ ପରିବାରର ସମସ୍ତେ ଥିବା ସନ୍ଦେହ କରାଯାଉଛି । ଗାଡି ଭିତରୁ ସଂଘମିତ୍ରା ସୁନା ,ଇନିସ୍ପେକ୍ଟର ଲେଖାଥିବା ଏକ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳିପାରିନାହିଁ । ତେବେ ଗୁରୁତର ଆହତ ହୋଇଥିବା ବଡ଼ବାହାଲି ଗ୍ରାମର ପଙ୍କଜ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେତୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ଆହତଙ୍କ ପରିବାର ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × two =