ବଢ଼ୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା

0 67

ନୂଆଦିଲ୍ଲୀ : ଦେଶରେ ଦୈନିକ ବା ୨୪ ଘଣ୍ଟା ମଧ୍ୟର ସଂକ୍ରମଣ ସଂଖ୍ୟା ଏବେ ଊର୍ଦ୍ଧ୍ୱମୂଖୀ ହୋଇଛି । ପ୍ରତିଦିନ ଏହା ରେକର୍ଡ଼ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରେକର୍ଡ଼ ୫,୬୦୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୧୩୨ଜଣ ପ୍ରାଣ ହରାଇଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା ୩, ୪୩୫ରେ ପହଞ୍ଚିଛି । ତେବେ ଆରୋଗ୍ୟ ହାର ଉଲ୍ଳେଖନୀୟ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୫,୩୦୦ରେ ପହଞ୍ଚି ସାରିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନିୟମିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ୁଥିଲେ ମଧ୍ୟ ବିଶ୍ୱ ପରିସଂଖ୍ୟାନ ତୁଳନାରେ ତାହା କମ୍ । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟ ବିଶ୍ୱ କରୋନା ମୃତ୍ୟୁ ସଂଖ୍ୟା ଠାରୁ ଯଥେଷ୍ଟ କମ୍ ସ୍ତରରେ ରହିଛି । ପୂର୍ବପରି ମହାରାଷ୍ଟ୍ର ଆକ୍ରାନ୍ତ ତାଲିକାରେ ଶୀର୍ଷରେ ରହିଛି । ଗତ ୨୪ ଘଣ୍ଟାରେ ସେଠାରେ ଆଉ ୨୨୫୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୩୯୭ରେ ପହଞ୍ଚିଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ୧୩୯୦କୁ ବୃଦ୍ଧି ପାଇଛି । କେବଳ ମୁମ୍ବାଇରେ ୧୩୭୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇ ବର୍ତ୍ତମାନ କରୋନା ହଟସ୍ପଟ୍ ହୋଇଛି । ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା ୮୪୧ଜଣ କରୋନା ରୋଗରେ ପ୍ରାଣ ହରାଇ ସାରିଲେଣି । ତାମିଲନାଡୁ ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି । ଗତ ୨୪ ଘଣ୍ଟାରେ ସେଠାରେ ୪୪୩ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୯୧କୁ ବୃଦ୍ଧି ପାଇଛି । ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୫୩୭ରେ ପହଞ୍ଚିଥିବା ବେଳେ ୭୪୯ଜଣ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଛି ।

hiranchal ad1
Leave A Reply

Your email address will not be published.

three × 4 =