ବାତ୍ୟା “ଅମ୍ଫନ’ରେ ୪୫ଲକ୍ଷ ଲୋକ ପ୍ରଭାବିତ

0 85

ଭୁବନେଶ୍ୱର: ବାତ୍ୟା “ଅମ୍ଫନ’ ରାଜ୍ୟର ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ଚାଲିଯାଇଛି । ଉପକୂଳ ଓଡିଶାର ୮୯ଟି ବ୍ଲକ ଅନ୍ତର୍ଗତ ୧୫ଶହ ଗ୍ରାମ ପଞ୍ଚାୟତର ଲୋକେ ବାତ୍ୟା ଅମ୍ଫନରେ ପ୍ରଭାବିତ ହୋଇଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆଜି ପ୍ରଦାନ କରିଛନ୍ତି । ଭିଡିଓ କନଫରେନ୍ସିଂ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କ୍ୟାବିନେଟ୍ ସଚିବଙ୍କୁ ବାତ୍ୟା ଅମ୍ଫନ ଓ ତତ୍‌ଜନିତ ପରିସ୍ଥିତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ବାତ୍ୟା ଉପକୂଳ ତଥା ଉତ୍ତର-ପୂର୍ବ ଓଡିଶାର ବହୁ ଘରଦ୍ୱାରାକୁ ଭାଙ୍ଗି ପକାଇଛି । ବହୁ ବିଦ୍ୟୁତ ସଂଯୋଗ ନଷ୍ଟ ହୋଇଛି । ଏକଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମି ବାତ୍ୟାରେ କ୍ଷତିଗ୍ରସ୍ତ ହେବା ସହିତ ରବିଫସଲ ଓ ଖରିଫ ଫସଲ ପାଇଁ ପ୍ରସ୍ତୁତ ହେଉଥିବା ଚାଷୀଙ୍କର ଅନେକ କ୍ଷତି କରିଛି । ଏହା ବ୍ୟତୀତ ବହୁ ପରିମାଣର ଉଦ୍ୟାନ କୃଷି ଓ ସବୁଜ ପନିପରିବା ନଷ୍ଟ ହୋଇଛି । ଅନେକ ଜାଗରେ ରାସ୍ତା ଉପରେ ଗଛ ଉପୁଡି ପଡିବା ସହ ଯୋଗାଯୋଗ ବ୍ୟବସ୍ଥାକୁ ଅଚଳ କରାଇପକାଇଛି । ୩୬ଟି ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫ୍ ଟିମ ଜରିଆରେ ରାସ୍ତା ସଫା ଓ ବିଦ୍ୟୁତ ଶ୍ରମିକଙ୍କ ସାହାଯ୍ୟରେ ବିଦ୍ୟୁତ ସରାବରହକୁ ସ୍ୱାଭାବିକ କରିବା ପାଇଁ ବାତ୍ୟା ଛାଡିବା ପରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ଏଥିରେ ଆମେ ସଫଳ ହେବୁ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ । ଏହି ଭିଡିଓ କନଫରେସିଂରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଯୋଡି ହୋଇଥିଲେ । ଅନ୍ୟ ପକ୍ଷରେ ବାତ୍ୟା ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଓ ରାଜ୍ୟ ପ୍ରଶାସନକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବୀନଙ୍କ ପ୍ରଶାସନକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + fourteen =