ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !

0 544

ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ ପାଇବାପରେ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତରେ ଲୋକେ ପ୍ରତିବାଦ କରିବାରୁ ଯୋଗାଣ ସହାୟକ ଅତିରିକ୍ତ ଟଙ୍କାକୁ ଫେରାଇବାକୁ ରାଜି ହୋଇଥିବା ଗତକାଲି ଶୁଣିବାକୁ ମିଳିଛି ।
ଗୋଟିଏ କିମ୍ବା ଦୁଇଟି ପଞ୍ଚାୟତରେ ଯଦି ୧୫ଟଙ୍କା ବଦଳରେ ୩୦ ଟଙ୍କାରେ କିରୋସିନ ବିକ୍ରି ହୋଇଥିଲେ ତାହା ସ୍ଥାନୀୟ ସମସ୍ୟା କିମ୍ବା କାହାର ଠକେଇ ବୋଲି କହିହେବ । ମାତ୍ର ଜିଲ୍ଲାସାରା ଅନେକ ପଞ୍ଚାୟତରେ ଅଧିକ ଦରରେ ବିକ୍ରି ହୋଇଥିବାରୁ ଏହା ପଛରେ ଯେ ଏକ ସୁଚିନ୍ତିତ ଯୋଜନାବଦ୍ଧ ର‌୍ୟାକେଟ ରହିଛି ଏହା ନିଃସନ୍ଦେହ । ଧର୍ମକୁ ଆଖିଠାର ଦେବାଭଳି ତଦନ୍ତ କରାଇଦେଲେ ଖାଉଟିମାନେ ନ୍ୟାୟ ପାଇଯିବେ ଏହା ଭାବିବା ଭୁଲ୍ । ଦରବୃଦ୍ଧି ର‌୍ୟାକେଟରେ ସଂପୃକ୍ତ ଥିବା ସରକାରୀ ଅଧିକାରୀ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଓ ହୋଲସେଲର ମାନଙ୍କ ପର୍ଯ୍ୟନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ କେବଳ ଚଳିତ ମାସର କିରୋସିନ କୋଟା ଓ ଦରବୃଦ୍ଧିରେ ତଦନ୍ତ ନରହି ୬ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅଧିକ ଦରରେ ବିକ୍ରି ହେଉଥିବା ଘଟଣାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ଅତିରିକ୍ତ ଅର୍ଥ ଆଦାୟ କରାଯାଇ ଖାଉଟିମାନଙ୍କୁ ଫେରସ୍ତ ଦେବାପାଇଁ ଜନସାଧାରଣରେ ଦାବି ହେଉଛି ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ଗ୍ରହଣ କରୁଛି ବୋଲି ଖାଉଟିମାନେ ଅପେକ୍ଷା କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 5 =