ବୌଦ୍ଧ : ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ପ୍ରଥମେ ୧୪ଦିନ, ତାପରେ ୨୧ଦିନ, ପୁଣି ୧୪ଦିନ ଓ ଏବେ ୭ଦିନ ହେବାପରେ କ୍ୱାରେଣ୍ଟାଇନରୁ ଘରକୁ ପଠାଇ ଦେଉଥିବାରୁ ଲୋକେ କରୋନା ସଂକ୍ରମଣର ଆଶଙ୍କାକରି ଆତଙ୍କିତ ହୋଇପଡୁଛନ୍ତି । ସରକାର ତଥା ପ୍ରଶାସନର ଥରକୁ ଗୋଟିଏ ଗୋଟିଏ ନିୟମ ବାହାରୁଥିବାରୁ ଏହାକୁ ଜନସାଧାରଣରେ ନାପସନ୍ଦ କରାଯାଉଛି । ଏବେ ଜଣେ ପ୍ରବାସୀ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବର୍ତ୍ତମାନସୁଦ୍ଧା ବୌଦ୍ଧଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରାୟ ୨୩ଶହ ପ୍ରବାସୀ ଶ୍ରମିକ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୮୪୬ ଜଣଙ୍କ ସ୍ୱାବ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ୮୩୦ଜଣଙ୍କ ରିପୋର୍ଟ ନେଗେଟିଭ ଓ ୩୩ ଜଣଙ୍କ ପଜିଟିଭ ବାହାରିଥିଲା । ଆଉ ୩୩ଟି ସ୍ୱାବ ନମୁନାର ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ ମାନଙ୍କରେ ରହୁଥିବା ସବୁପ୍ରବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଉନାହିଁ । ସରକାରୀ ତଥ୍ୟକୁ ହିସାବକଲେ ୧୪ଶହରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ସ୍ୱାବ ନମୁନା ନିଆଯାଇନାହିଁ । ସେମାନଙ୍କ ମଧ୍ୟରୁ ଅନେକ ସଙ୍ଗରୋଧ କେନ୍ଦ୍ରରୁ ଛୁଟି ପାଇ ଗାଆଁକୁ ଫେରି ଗୃହାବଦ୍ଧରେ ରହିସାରିଲେଣି । ଡାକ୍ତରମାନଙ୍କ କହିବା ଅନୁଯାୟୀ କିଛି ଲୋକଙ୍କ ଦେହରେ ବିନା ଲକ୍ଷଣରେ ମଧ୍ୟ କରୋନା ପଜିଟିଭ ବାହାରୁଛି । ଯଦି ତାହା ସତ ଓ କାହା ଦେହରେ ଏଭଳି ପଜିଟିଭ ଥାଏ ତେବେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ସୁନିଶ୍ଚିତ ।
ଜିଲ୍ଲାରେ ୧୦୧ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୪୦୨୯ଟି ଶଯ୍ୟା ପ୍ରସ୍ତୁତ ଅଛି ବୋଲି ଜିଲ୍ଲା ପ୍ରଶାସନ କହୁଥିବାବେଳେ ବିନା ସ୍ୱାବପରୀକ୍ଷା କରି ୭ଦିନ କ୍ୱାରେଣ୍ଟାଇନ ରଖି ପ୍ରବାସୀମାନଙ୍କୁ ଘରକୁ ଛାଡିବା କେତେ ବିପଦଜନକ ସରକାର ଓ ପ୍ରଶାସନ ଚିନ୍ତା କରିବା ଉଚିତ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post