ବୌଦ୍ଧ: ଆଜି ରାତି ପ୍ରାୟ ୧ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ମନମୁଣ୍ଡା ଥାନା ଦହ୍ୟା ନିକଟରେ ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନମୁଣ୍ଡା ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରକର ଆଗଚକ ଫାଟିଯିବାରୁ ରାସ୍ତା ପାଶ୍ୱର୍ରେ ଅଟକି ରହିଥିଲା ।
ରାତି ପ୍ରାୟ ୧ଘଣ୍ଟା ସମୟରେ ବୌଦ୍ଧରୁ ମନମୁଣ୍ଡା ଆଡକୁ ଯାଉଥିବା ଛତିଶଗଡ ନମ୍ବର ଥିବା ଏକ କାର୍ ସିଜି ୦୪ଏମଏସ୍ ୯୪୫୫ ଟ୍ରକ ସାମ୍ନାରେ ଖୁବ୍ଜୋରରେ ଧକ୍କାହେବାରୁ ଦୁର୍ଘଟଣା ଘଟିଥିଲା । ଫଳରେ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଦୁଇଟି ଗୋଡ ଓ ହାତ ଭାଙ୍ଗିଯାଇଥିବା ଜଣାପଡିଛି । କାରରେ ବସିଥିବା ଅନ୍ୟଜଣେ ମହିଳା ଯାତ୍ରୀ କୌଣସି ଆହତ ହୋଇନଥିବା ସୂଚନା ମିଳିଛି । କାର୍ଟି ରାସ୍ତାକଡରେ ଥିବା ଟ୍ରକକୁ ଧକ୍କା ଦେବାପରେ ବିପରୀତ ଦିଗକୁ ବୁଲିପଡିଥିଲା । ଆହତ କାର୍ ଚାଳକଙ୍କୁ ଉଦ୍ଧାରକରି ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।