ସମ୍ବଲପୁର: ଶୀତଳଷଷ୍ଠୀ ରୂପେ ମୁଖ୍ୟତଃ ପରିଚିତ ଅଲୌକିକ ଶିବବିବାହ ଉପଲକ୍ଷେ ଗତକାଲି ଦିନତମାମ ସମସ୍ତ ମନ୍ଦିରମାନଙ୍କୁ ଯାଇ ପ୍ରଭୁଙ୍କ ଅନୁଚର ଭାବେ ହନୁମାନ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ଆସିଛନ୍ତି ଯାହାକି ପତରପେଣ୍ଡି ରୂପେ ପରିଚିତ । ଆଜି ସକାଳୁ ଗଣ୍ଠାଳଫିଟା କାର୍ଯ୍ୟକ୍ରମ ଚାଲିଛି ଏଥିରେ ଜଗତଜନନୀ ମା ପାର୍ବତୀଙ୍କୁ କନ୍ୟାରୁପେ ବିବାହ ସଂପନ୍ନ କରାଇଥିବା ମାତାପିତାଙ୍କ ମୁଖ୍ୟ ଭୁମିକା ରହିଛି । ସେମାନେ ମନ୍ଦିରକୁ ପହଞ୍ଚି ଗଣ୍ଠିଲି ଫିଟାଇ ନିଜକନ୍ୟା ପାର୍ବତୀଙ୍କ ମାତାପିତା ଦାୟିତ୍ୱରୁ ମୁକ୍ତହେଲା ପରେ ଏବର୍ଷର ନୂତନ ମାତାପିତା କନ୍ୟା ରୂପେ ପାର୍ବତୀଙ୍କୁ ସମ୍ଭାଳିବେ ।
ଆଜି ରାତିରେ ବିଭିନ୍ନ ଲଗ୍ନ ଅନୁସାରେ ବିଭିନ୍ନ ଶିବାଳୟରୁ ବରଯାତ୍ରୀ ସହିତ ବରପିଲା ରୂପେ ମହାଦେବ ବାହାରିବେ । ସେମାନେ ପହଞ୍ଚିଲା ପରେ ଯଥୋଚିତ ସ୍ୱାଗତ ସତ୍କାର କରାଯିବ ଓ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏ ସଂକ୍ରାନ୍ତରେ ବିଭିନ୍ନ ମନ୍ଦିରର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ରହିଛି । ସ୍ଥାନୀୟ ଶୀତଳେଶ୍ୱର ବାବାଙ୍କ ମନ୍ଦିର ପକ୍ଷରୁ ପ୍ରାପ୍ତ କାର୍ଯ୍ୟକ୍ରମ ଅନୁସାରେ ଆଜି ସକାଳୁ ୭ଟା ସମୟରେ ଗଣ୍ଠିଲି ଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗତବର୍ଷର ମାତାପିତା ସୁଜୀତ କୁମାର ପଣ୍ଡା ଏବଂ ସ୍ୱାତୀ ପଣ୍ଡା ମନ୍ଦିରକୁ ଆସି ଏହା ସଂପାଦନ କରିଥିଲେ । ଏହାପରେ ନୂତନ ମାତାପିତା ରୂପେ ଶ୍ରୀମତୀ ରଶ୍ମି ଚାନ୍ଦ ଓ ଭବେଷ ଚାନ୍ଦ କନ୍ୟାକୁ ନିଜଘରକୁ ନେଇ ସେଠାରେ ପାରଂପରିକ ରୀତିରେ ଅଭିଷେକ ଓ ଗଣଶନ କରାଯାଇଛି ।
ଆଜି ସନ୍ଧ୍ୟାରେ ସେଠାରେ ମହାଦେବଙ୍କ ବରଯାତ୍ରୀ ଦଳ ପହଞ୍ଚିବେ ଓ ସାଢେ ୭ଟା ସମୟରେ ବିବାହ କାର୍ଯ୍ୟକ୍ରମରେ କନ୍ୟାପିତା ମା ଓ ତାଙ୍କର ଦୁଇଜଣ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ । ବର ପିତା ଜଗଦୀଶ ପ୍ରସାଦ କାଲା ନୋରିଆ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ପଣ୍ଡିତ ଯୋଗେଶ୍ୱର ନନ୍ଦ, ପଣ୍ଡିତ ସରିତ କୁମାର ପାଢୀ, ପୂଜକ ସଞ୍ଜୟ ଓ ସଂଜୀବ ପୂଜା କାର୍ଯ୍ୟ ସଂପାଦନ କରିବେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଉପସ୍ଥିତିକୁ ପ୍ରଚଳିତ ନିୟମ ଅନୁସାରେ ବାରଣ କରାଯାଇଛି । ରାତିରେ ବିବାହ ସଂପନ୍ନପରେ ନବବିବାହିତ ଦେବଦଂପତ୍ତି ସ୍ୱମନ୍ଦିରକୁ ବାହୁଡିବେ । ଅଧିକାଂଶ ମନ୍ଦିର ଭିତରେ ଆଜିର ଏହିସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାପାଇଁ ଘୋଷଣା କରାଯାଇଛି କାରଣ ଘରକୁ ନେଇ ସେଠାରେ ଏହାର ଆୟୋଜନ କରାଗଲେ ଭକ୍ତମାନଙ୍କ ଗହଳି ହେବ ଓ ସାମାଜିକ ଦୂରତା ନିୟମ ପାଳନ ପ୍ରାୟତଃ ଅସମ୍ଭବ ହୋଇଯିବାର ଆଶଙ୍କା ରହିଛି ।