ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କବରାପାଲି ସବସେଣ୍ଟର ଏଏନଏମ ଜ୍ୟୋସ୍ନା ମହନ୍ତ (୫୫) ଙ୍କ ଗତକାଲି ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି । ସକାଳୁ ଘରର ବାହାର ଲାଇଟ ଜଳୁଥିବା ଓ ଘରକବାଟ ଅନେକ ବେଳ ଯାଏଁ ନଖୋଲିବାରୁ ଆଖପାଖ ପଡୋଶୀ ଶଙ୍କିତ ହୋଇ ତାଙ୍କୁ ଡାକିଥିଲେ । ଏହାର କୌଣସି ଉତ୍ତର ନପାଇ ଘର କବାଟ ଭାଙ୍ଗିଲାପରେ ସ୍ଥାନୀୟଲୋକେ ତାଙ୍କୁ ନିଜ ବିଛଣାରେ ମୃତ ଦେଖିବାକୁ ପାଇଥିଲେ । ତାଙ୍କ ମୁହଁରୁ ଫେଣ ବାହାରିଥିବା ଦେଖି ସ୍ଥାନୀୟଲୋକେ ଏହା ହୃଦଘାତଜନିତ ବୋଲି ଆଶଙ୍କା କରୁଛନ୍ତି । ସତ୍ୟାସତ୍ୟ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଖବରପାଇ ସ୍ଥାନୀୟ ସଦର ପୁଲିସ ଥାନା କର୍ତ୍ତୃପକ୍ଷ ପହଞ୍ଚି ମୃତଦେହକୁ ନିୟନ୍ତ୍ରଣ ନେଇ ପୋଷ୍ଟମୋର୍ଟମ ପାଇଁ ପଠାଇଥିଲେ । ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କ ମତଅନୁସାରେ ସେ ପୂର୍ବଦିନ ନିଜ ଡ୍ୟୁଟି ସ୍ୱାଭାବିକ ଭାବେ କରିବା ସହିତ କ୍ୱାରେଣ୍ଟାଇନ ସେଣ୍ଟରରେ ଟୀକାକରଣ ଦେଇ ସନ୍ଧ୍ୟା ୭ଟାରେ ଘରକୁ ଫେରିଥିଲେ । ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।