ଦିନକରେ ପୁଣି ରେକର୍ଡ଼ ୮,୩୯୨ ପଜିଟିଭ୍

0 75

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହେବା ପରିବର୍ତ୍ତେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ବିଶେଷ କରି ଦିନକର ସଂକ୍ରମିତ ସଂଖ୍ୟା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏବେ ଏହା ଲଗାତାର ଦୁଇ ଦିନ ଧରି ଆଠ ହଜାର ଉପରେ ରହିଛି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଆଠ ହଜାରରୁ ଅଧିକ ଥିଲା ବେଳେ ଆଜି ମଧ୍ୟ ରେକର୍ଡ଼ ୮ ହଜାର ୩୯୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି । ଏଥିସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଛି । ସେହିପରି, ସଂକ୍ରମଣ ବୃଦ୍ଧି ଯୋଗୁଁ ବିଶ୍ୱର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଉପରକୁ ଉପରକୁ ଉଠିବାରେ ଲାଗିଛି । ବର୍ତ୍ତମାନ ଏହା ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି । ୧୮ ଲକ୍ଷ ୨୦ ହଜାର ଆକ୍ରାନ୍ତଙ୍କ ସହ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ସେହିପରି, ତୃତୀୟ ସ୍ଥାନରେ ଥିବା ଋଷିଆରେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ସ୍ପେନ୍‌ରେ ୨ ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ତା\’ତଳକୁ ଥିବା ବ୍ରିଟେନରେ ୨ ଲକ୍ଷ ୭୦ ହଜାର, ଇଟାଲୀରେ ୨ ଲକ୍ଷ ୩୦ ହଜାର ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭାରତରେ ୯୧ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ୫,୪୦୦ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୪,୮୩୫ ଜଣ ସୁସ୍ଥ ହୋଇଥିବା ବେଳେ ୨୩୦ ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ପ୍ରଭାବିତ ତାଲିକାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨,୪୮୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୮୯ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୬୫୫ରେ ପହଞ୍ଚିଛି । ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୩୩୩ରେ ପହଞ୍ଚିଛି । ଦିଲ୍ଲୀର ଅବସ୍ଥା ମଧ୍ୟ ସାଙ୍ଘାତିକ । ଏଠାରେ ୨୪ ଘଣ୍ଟା ମଧ୍ୟରେ ୧୨୯୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୫୭ଜଣଙ୍କର ମୃତ୍ୟୁ ଘଟିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ୮୪୪ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

one × 1 =