ନୂଆଦିଲ୍ଲୀ : ଭାରତ କ୍ରମଶଃ ବିଶ୍ୱର କେତେକ କରୋନା ପ୍ରଭାବିତ ଦେଶଙ୍କୁ ପଛରେ ପକାଇ ସଂକ୍ରମଣ ତାଲିକାର ଉପରକୁ ଉଠିଚାଲିଛି । ଦୈନିକ ସଂକ୍ରମଣ ଏବେ ୮ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୧୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ରେ ପହଞ୍ଚିଛି । ଯାହାକି ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି । ଏହି ସମୟ ମଧ୍ୟରେ ଆଉ ୨୦୪ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୫,୫୯୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଜାରି କରିଥିବା ସୂଚନାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ମୋଟ ୯୫ ହଜାର ୫୨୬ଜଣ ଲୋକ ସୁସ୍ଥ ହେଲେଣି । ତେଣୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପୂର୍ବ ଭଳି ମହାରାଷ୍ଟ୍ରରେ ପ୍ରତିଦିନ ବହୁସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ ସ୍ଥିତି ଅତି ସାଙ୍ଘାତିକ । ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ସୀମାକୁ ସିଲ୍ କରିଦେଇଛନ୍ତି । ଏହା ଏକ ସପ୍ତାହ ପାଇଁ ବଳବତ୍ତର ରହିବ । ରାଜ୍ୟ ବାହାରକୁ କୌଣସି ଗାଡ଼ି ଯିବ ନାହିଁ, କି ବାହାରୁ କୌଣସି ଲୋକ ଆସିବେ ନାହିଁ । ଏହି ଅବଧି ମଧ୍ୟରେ କେବଳ ଜରୁରୀ ସେବାଗୁଡ଼ିକ ଜାରି ରହିବ । ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାରୁ ସରକାର ଲୋକମାନଙ୍କ ଗତିବିଧି ଉପରେ ଅଧିକ କଟକଣା ଜାରି କରିଛନ୍ତି । ରାଜ୍ୟରେ ଲକ୍ଡାଉନ୍ ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି । ଅନ୍ୟ କେତେକ ରାଜ୍ୟ ମଧ୍ୟ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ତେବେ କେନ୍ଦ୍ର ସରକାର ଏଥର ଲକ୍ଡାଉନ୍-୫ ଘୋଷଣା ନକରି ଅନ୍ଲକ୍-୧ ଘୋଷଣା କରିଛନ୍ତି । ଏଥିରେ ଅନେକ କ୍ଷେତ୍ରକୁ କୋହଳ କରିଦିଆଯାଇଛି । ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବହୁସଂଖ୍ୟାରେ ବଢ଼ୁଛି ।