ସୁବର୍ଣ୍ଣପୁର : ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁରରୁ ବିନିକା ଥାନାକୁ ଯାଉଥିବା ସମୟରେ ଉଲ୍ଲେ ଛକ ନିକଟରେ ଘାଟକଇତରା ଗ୍ରାମର ସନତ ଶତପଥି (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷର ଝିଅ ବାଇକ୍ରୁ ହମ୍ପସ ପାଖରେ ରକ୍ତ ଜୁଡୁ ବୁଡ଼ ହୋଇ ପଡ଼ିଥିଲେ,ଏହି ଦୁଃଖଦ ଦୃଶ୍ୟ ଦେଖି ଆରକ୍ଷୀ ଅଧିକ୍ଷକ ନିଜ ଅଫିସ ଗାଡ଼ିରେ ବିନିକା ହସ୍ପିଟାଲକୁ ସେମାନଙ୍କୁ ଆଣି ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି । ସୋନପୁର ଜିଲ୍ଲା ପୋଲିସ ବାହିନୀ ମୁଖ୍ୟ ଭାବରେ ଏକ ଦୃଷ୍ଟାନ୍ତ ସ୍ୱରୂପ ଏହି ମହତ୍ କାର୍ଯ୍ୟ କରିଛନ୍ତି । ଏତତ୍ ବ୍ୟତୀତ ମୋଟର ସାଇକେଲରେ ମହିଳା ଓ ଶିଶୁଙ୍କୁ ଧରି ଯାତ୍ରା କରୁଥିବା ସମୟରେ ସାବଧାନତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ ଏତାଦୃଶ କାମକୁ ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି ।