ସମ୍ବଲପୁର : ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରପ୍ରସାର ଦିଗରେ ୨୦୧୬ ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପୁଣି ଏକ ନୂଆ ଉଦ୍ୟମ କରିଛି । ସମ୍ବଲପୁରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାପାଇଁ ଆନ୍ଦୋଳନ ଚାଲିଛି । ତେବେ ଓଡିଆ ଲିପିରେ ସମ୍ବଲପୁରୀ ଲେଖାହେବା ଯୋଗୁଁ ଛତିଶଗଡ ଅଂଚଳରେ ରହୁଥିବା ହଜାର ହଜାର ଲୋକ ସମ୍ବଲପୁରୀ ସାହିତ୍ୟଠାରୁ ଦୂରରେ ରହିଯାଉଛନ୍ତି, ଏଭଳିସ୍ଥିତିରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଦେବନଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଜେଲଛକ ନିକଟରେ ଥିବା ଗୁରୁ ସତ୍ୟନାରାୟଣ ସ୍ମୃତି ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ୨୦୧୫ ମସିହା ପାଇଁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପାଇଥିବା ବିଶିଷ୍ଟ ସାହିତ୍ୟିକ ବିନୋଦ କୁମାର ପଶାୟତ ମୁଖ୍ୟ ଅତିଥି ଏବଂ ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ପତ୍ରିକା ଉନ୍ମୋଚନ କରିଥିଲେ । ପ୍ରତି ଚାରିମାସରେ ସମ୍ବଲପୁରୀ ପତ୍ରିକା ଭାରତୀ ପ୍ରକାଶିତ ହେବ ବୋଲି ଏହାର ସମ୍ପାଦକ ଭବାନୀଶ ଭୋଇ ସୂଚନା ଦେଇଛନ୍ତି । ପତ୍ରିକା ଉନ୍ମୋଚନ ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚର କାର୍ଯ୍ୟକ୍ରମ ସଂଯୋଜକ ଗୀତାରାଣୀ ପଣ୍ଡା, ସ୍ନେହଲତା କୁମାରୀ ଦେବୀ, କାନ୍ତି ମେହେର, ପଙ୍କଜିନୀ ମେହେର, ଟିଙ୍କି ସାହୁ, ଆଭାସ ପଣ୍ଡା, ଦେବାଶିଷ ବେହେରା, ରାଜେଶ ବେହେରା, ସୁବୋଧ ଦୋରା, ସୁଦାମ ମେହେର, ସନ୍ତୋଷ ବଢାଇ, ବାବଲୁ ବହିଦାର, ନିଶିକାନ୍ତ ବିଶ୍ୱାଳ, ଖୀରେଶ୍ୱର ପ୍ରଧାନ, ଶଙ୍କର ମେହେର, ରାହୁଲ ଗୁପ୍ତା, ସବ୍ୟସାଚୀ ମିଶ୍ର ଓ ରାଜେଶ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ ।