ଦୈନିକ ସଂକ୍ରମଣ ଲଗାତାର ୧୧ ହଜାର ଟପୁଛି

0 75

ନୂଆଦିଲ୍ଲୀ : ଭାରତରେ ସଂକ୍ରମଣ ସ୍ଥିତି ଇଟାଲୀ, ବ୍ରାଜିଲ୍‌, ସ୍ପେନ୍‌, ଫ୍ରାନ୍ସ, ଇରାନ୍ ଭଳି କେତେକ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ଉଦ୍‌ବେଗଜନକ ହେଉଛି । ଏବେ ଲଗାତାର ଭାବେ ଦିନକର ସଂକ୍ରମଣ ୧୧ ହଜାର ଉପରେ ରହୁଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବହୁଗୁଣିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୫୦୨ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ଲୋକାଲ୍ ସଂକ୍ରମଣ ମଧ୍ୟ ରହିଛି । ତାହା ସବୁଠୁ ବେଶୀ ଚିନ୍ତାର କାରଣ ହୋଇଛି । ଏଥିସହ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ରେ ପହଞ୍ଚିଛି । ତେବେ ସଂକ୍ରମଣ ବୃଦ୍ଧି ସହ ସୁସ୍ଥ ହାର ମଧ୍ୟ ବଢ଼ୁଛି । ମୋଟ ସଂକ୍ରମଣଙ୍କ ଭିତରୁ ଏକ ଲକ୍ଷ ୬୯ ହଜାର ୭୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷରେ, ଦେଶରେ ମୋଟ ମୃତ୍ୟୁସଂଖ୍ୟା ୯ ହଜାର ୫୨୦କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇ କହିଛି ଯେ, ଦେଶରେ ସୁସ୍ଥ ହାର ୫୦ ପ୍ରତିଶତ ଅତିକ୍ରମ କରିଛି । ଆସନ୍ତା କିଛିଦିନ ମଧ୍ୟରେ ଏହା ୮୦ ପ୍ରତିଶତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ଏହା ଏବେ ଏକ ଲକ୍ଷ ୭ ହଜାର ୯୫୮ ଅତିକ୍ରମ କରିଛି । ମୃତ୍ୟୁସଂଖ୍ୟା ସେଠାରେ ୩,୯୫୦ରେ ପହଞ୍ଚିଛି । ମଧ୍ୟପ୍ରଦେଶରେ ୧୦ ହଜାର ୮୦୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ତାମିଲନାଡୁରେ ୪୪ ହଜାର ୬୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେଲେଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଛି । ସେହିପରି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି । ୟୁପିରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୬୧୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୧ ହଜାର ୮୭ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟପ୍ରଦେଶରେ ୪୫୯ ଥିବା ବେଳେ ତାମିଲନାଡୁରେ ୪୩୫, ତେଲେଙ୍ଗାନାରେ ୧୮୫, ୟୁପିରେ ୪୦୦ରୁ ଅଧିକ ଓ ପଶ୍ଚିମବଙ୍ଗରେ ୪୭୫ରୁ ଅଧିକ ।

hiranchal ad1
Leave A Reply

Your email address will not be published.

4 − four =