ବିନା ମୁଖ୍ୟ କିରାଣୀରେ ବର୍ଷବର୍ଷ ଧରି ଚାଲିଛି ଡିଇଓ ଅଫିସ

0 583

ବୌଦ୍ଧ: ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେଲା ମୁଖ୍ୟକିରାଣୀ ପଦବୀ ଖାଲି ପଡିଥିବାବେଳେ ଜନୈକ ବରିଷ୍ଠ କିରାଣୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱରେ ରଖାଯାଇଥିବାରୁ କୌଣସି କାମ ଠିକଣା ସମୟରେ ହୋଇପାରୁନଥିବା ଅଭିଯୋଗ ହେଉଛି । ପୂର୍ବରୁ ମୁଖ୍ୟକିରାଣୀ ଥିବା ଶଙ୍କର୍ଷଣ ମହାନନ୍ଦଙ୍କୁ ପ୍ରଶାସନିକ କାରଣ ଯୋଗୁଁ କଣ୍ଟାମାଳ ବିଇଓଙ୍କ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ପ୍ରାୟ ୨ବର୍ଷ ହେଲା ଏହି ପଦବୀରେ କୌଣସି ସ୍ଥାୟୀ ମୁଖ୍ୟକିରାଣୀ ନିଯୁକ୍ତି କରାଯାଇପାରିନଥିବା ଜଣାପଡିଛି । ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବିଭିନ୍ନ କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟୁଥିବା ଅଭିଯୋଗ ହୁଏ । ଡିଇଓଙ୍କ କାର୍ଯ୍ୟାଳୟ କେବଳ ନୁହେଁ ବୌଦ୍ଧ ଓ ହରଭଙ୍ଗା ବିଇଓଙ୍କ କାର୍ଯ୍ୟାଳୟରେ ମଧ୍ୟ ମୁଖ୍ୟକିରାଣୀ ପଦବୀ ଗୁଡିକ ଖାଲିରହିଛି ।
ପଦୋନ୍ନତି କମିଟି ବସାଇ ଯୋଗ୍ୟ ଓ ଦକ୍ଷ ବରିଷ୍ଠ କିରାଣୀଙ୍କୁ ମୁଖ୍ୟ କିରାଣୀକୁ ପ୍ରମୋଶନ ଦେବାକୁ ଅନେକ ଦିନରୁ ଆଶାୟୀମାନେ ଦାବି କରୁଥିଲେ ମଧ୍ୟ ତାହା ହେଉନଥିବାରୁ ସେମାନଙ୍କର ମନମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ୨୦୧୯ ମସିହା ନଭେମ୍ବର ମାସରେ ପ୍ରମୋଶନ କମିଟି ଡକାଯାଇଥିଲେ ମଧ୍ୟ ମୁଖ୍ୟକିରାଣୀକୁ କାହାକୁ ପ୍ରମୋଶନ କରାଗଲା ନାହିଁ । କେବଳ ଜଣେ କନିଷ୍ଠ କିରାଣୀଙ୍କୁ ବରିଷ୍ଠ କିରାଣୀକୁ ପଦୋନ୍ନତି ଦେଇ କମିଟି ତାର କାମ ସାରିଦେଲା ଭିତିରିଆ ଭାବରେ । ମୁଖ୍ୟକିରାଣୀ ଦାୟିତ୍ୱରେ ଥିବା ବରିଷ୍ଠ କିରାଣୀଙ୍କ ନାମରେ ବିଭାଗୀୟ ପ୍ରୋସିଡିଂ ଚାଲିଥିବାରୁ ଓ ତାଙ୍କର ପ୍ରମୋଶନ ପ୍ରୋସିଡିଂ ସମାଧାନ ନହେବାଯାଏଁ ହୋଇପାରିବାର ସମ୍ଭାବନା ନଥିବାରୁ ଜାଣିଶୁଣି କାହାକୁ ଆଉ ପ୍ରମୋଶନ ଦିଆଗଲା ନାହିଁ ବୋଲି ଆଶାୟୀମାନେ ଅଭିଯୋଗ କରନ୍ତି । ଦୁଇ/ତିନିଜଣ କନିଷ୍ଠ କିରାଣୀ ସେମାନଙ୍କୁ ବରିଷ୍ଠ କିରାଣୀ ପାହ୍ୟାକୁ ପଦୋନ୍ନତି ପାଇଁ ଲିଖିତ ଭାବେ ଆବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଅଣଦେଖାକରି କେବଳ ଡିଇଓ କାର୍ଯ୍ୟାଳୟର ଜଣେମାତ୍ର କନିଷ୍ଠ କିରାଣୀକୁ ପ୍ରମୋଶନ କରି କାମ ସାରିଦିଆଗଲା । ଏସମସ୍ତ ତଥ୍ୟ ଆଧାରରେ ତର୍ଜମାକଲେ ବସିଥିବା ପ୍ରମୋଶନ କମିଟି କେତେ ସ୍ୱଚ୍ଛ ଓ ନିର୍ମଳ ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି । ପ୍ରମୋଶନରୁ ବଞ୍ଚିତ କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହେବାକୁ ଚିନ୍ତା କରୁଥିବା ଜଣାପଡୁଛି ।
ଶିକ୍ଷା ବିଭାଗରେ ହେଉଥିବା ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ସଂପର୍କରେ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବା ସହ ଖାଲିଥିବା ପଦବୀଗୁଡିକ ତୁରନ୍ତ ପୂରଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve + nine =