କେନ୍ଦୁକାଠ ଚୋରା ଚାଲାଣ ବେଳେ ଟ୍ରକ ଜବତ, ୩ ଗିରଫ

0 39

ବୌଦ୍ଧ : ଜଙ୍ଗଲ ବିଭାଗକୁ ନେଇ ସବୁବେଳେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା । କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ବାଘ, ହରିଣ ଓ କୁଟୁରା ଚମଡା ଜବତ ଘଟଣା ନଜର ଆସିଥିବା ବେଳେ ଏବେ କିନ୍ତୁ ବାହାର ରାଜ୍ୟ ମାଫିଆ କାଠ ଚୋରି କରି ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି ବନ ବିଭାଗ ହାତରେ । ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ବିଳମ୍ବିତ ରାତିରେ ବନ ବିଭାଗ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଖୁଣ୍ଟିଗୋରା ଅଞ୍ଚଳରେ ଚଢାଉ କରି କେନ୍ଦୁକାଠ ବୋଝେଇ ଟ୍ରକ ଜବତ କରିଛି । ଏହା ସହ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଖୁଣ୍ଟିଗୋରାଠାରେ କାଠ ଚୋରା ଚାଲାଣ ହେଉଥିବା ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ଫ ବିଶେଷ ସୂତ୍ରରୁ ଖବର ପାଇଥିଲେ । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଖୁଣ୍ଟିଗୋରା ଠାରେ ଥିବା ଏକ ଟ୍ରକ ଯାହାର ନମ୍ୱର ହେଲା ଡବ୍ଲୁବି୨୯ ବି ୯୭୯୮ ଗାଡ଼ି ଉପରେ ଚଢାଉ କରିଥିଲା । ଉକ୍ତ ଟ୍ରକରୁ ୬୦ ଖଣ୍ଡ କେନ୍ଦୁ କାଠଗଣ୍ଡି ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ଦାସ (୫୩) କମିଶନର କଲୋନୀ ସମ୍ବଲପୁର, ସୁବିତ୍‌ ପାତ୍ର (୪୮) ଖଡଗପୁର ଆଇଆଇଟି ରୋଡ ପଶ୍ଚିମବଙ୍ଗ ଓ ତପନ ରାଉତ (୩୦) ଗୋଡ଼ି ପିଅସଲ ପଶ୍ଚିମବଙ୍ଗ ହୋଇଥିବା ବେଳେ କଣ୍ଟାମାଳ ଖୁଣ୍ଟିଗୋରା ଅଞ୍ଚଳରୁ କଲିକତା ଚାଲାଣ ହେଉଥିବା ନେଇ ସୂଚନା ମିଳିଛି । ଜବତ୍‌ କାଠର ମୂଲ୍ୟ ଆନୁମାନିକ ୬ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ଆଜିର ଏହି ଚଢାଉରେ ଏସିଏଫ ଆଶିଷ କହଁର, ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ହୃଦାନନ୍ଦ ମିଶ୍ର ଓ ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ, ଅର୍ଚ୍ଚନା ଦ୍ୱିବେଦୀ, ସନୁଜା ନାୟକ ଓ ମମତା ଛତର ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

two × 2 =