ପାଇପ ପାଣିରୁ ପୋକ ବାହାରୁଥିବା ଅଭିଯୋଗ

0 67

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣିରୁ ପୋକ ବାହାରୁଥିବାର ଅଭିଯୋଗ ହୋଇଛି । ସହରର ଓଁଶାନ୍ତି କଲୋନୀ ଅଞ୍ଚଳରେ ପ୍ରାୟ ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ହେବ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ଦିଆଯାଉଥିବା ପାନୀୟ ଜଳ ଗୋଳିଆ ଦେଖାଦେଉଥିଲା । ଏନେଇ ବିଭାଗଠାରେ ଦୁଇ ତିନି ଥର ଅଭିଯୋଗ କରାଯାଇଥିବାର ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଗୋଳିଆ ପାଣି କୌଣସି କାରଣରୁ ଆସୁଥିବା ଭାବି ଲୋକେ କଷ୍ଟ ସ୍ୱୀକାର କରି ପିଉଥିଲେ । ହେଲେ ଗତ କିଛି ଦିନ ହେବ ଏହି ପାଣି ସ୍ୱଚ୍ଛ ଦେଖାଦେଉଥିଲେ ମଧ୍ୟ ଏଥିରେ ପୋକ ବାହାରୁଥିବାର ଅଞ୍ଚଳର ମହିଳାମାନେ ଅଭିଯୋଗ କରିଛନ୍ତି । ଉକ୍ତ ପୋକ ବାହାରୁଥିବା ଘଟଣାକୁ ମଧ୍ୟ ଲୋକେ ଜନସ୍ୱାସ୍ଥ୍ୟ ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ ନକରି ଚୂପ ରହିଥିବାର ଜଣାଇଛନ୍ତି ପାଇପ ଜଳ ଉପଭୋକ୍ତାମାନେ । ଏ ନେଇ ଓଁଶାନ୍ତି କଲୋନୀର ମହିଳାମାନେ ଏକତ୍ରିତ ହୋଇ ସେମାନେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଉଥିବା ପାନୀୟ ଜଳକୁ ପାତ୍ରମାନଙ୍କ ମଧ୍ୟରେ ରଖି ପ୍ରଦର୍ଶନ କରିଛନ୍ତି । ଉକ୍ତ ପାତ୍ରରେ ଛୋଟରୁ ଅତି ଛୋଟ ପୋକ ପରିଲିକ୍ଷିତ ହେଉଛି । ଗୋଟିଏ ପାତ୍ରରେ ପ୍ରାୟ ୧୦ରୁ୧୫ ଛୋଟ ଛୋଟ ପୋକ ବା କୀଡା ଆକାରର ପୋକ ଦେଖିବାକୁ ମିଳୁଛି । ଏହା ସହ ଏପରି ପାଣି ଆସୁଥିବାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

10 − 8 =