ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପୁଣି ନୂଆ ୪ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟଙ୍କ ମଧ୍ୟରୁ ୧ଜଣ ସ୍ୱାସ୍ଥ୍ୟ କର୍ମୀ ଓ ୨ଜଣ ଆଶାଦିଦି ଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିନିକା ବ୍ଲକ ଅନ୍ତର୍ଗତ ବାଙ୍କିଘିର୍ଡି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଦୁଇଜଣ ଆଶାଦିଦି ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବାରୁ ଗତ ୧୫ତାରିଖରେ ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇ ପଠାଯାଇଥିଲା ଯାହାର କି ଗତକାଲି ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଅନ୍ୟ ପଜିଟିଭ ଜଣକ ଉକ୍ତ ବ୍ଲକର କୁଇବାହାଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ ଯେକି ପଶ୍ଚିମବଙ୍ଗରୁ ଫେରିଥିଲେ । ତାଙ୍କର ମଧ୍ୟ ପଜିଟିଭ ରିପୋର୍ଟ ଆସିବା ପରେ ଗତକାଲି ସମସ୍ତଙ୍କୁ ଜିଲ୍ଲାର କୋଭିଡ୍ ହେଲଥ କେୟାର୍ ସେଣ୍ଟର କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦିଲ୍ଲୀପ କୁମାର ପଣ୍ଡାଙ୍କ ଅନୁଯାୟୀ ଜଣେ ସଂକ୍ରମିତ ଯେହେତୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ ତାଙ୍କ ଠାରୁ ଆଉକେହି ନୂତନ ସଙ୍କ୍ରମିତ ହେବାର ଆଶଙ୍କା ନଥିବା ବେଳେ ଚିହ୍ନଟ ଅନ୍ୟ ତିନିଜଣ ଯେହେତୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥାଇ ଅନ୍ୟ ରୋଗୀଙ୍କଠାରୁ ସଂକ୍ରମିତ ହୋଇଥିଲେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଂଗରୋଧ ରେ ରଖାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ଉକ୍ତ ଗ୍ରାମର ଘରକୁ ଘର ବୁଲି ବିଭିନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ସହ ପ୍ରଶାସନ ତରଫରୁ ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।