ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ

0 127

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଫଳରେ ପ୍ରଚୁର ପରିମାଣରେ ଜଳରାଶି ଏହା ଭିତରକୁ ପ୍ରବେଶ କରୁଛି । ଏଣୁ ଏବର୍ଷ ଯଥେଷ୍ଟ ଆଗରୁ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି କ୍ରମରେ ଆଜି ଗୋଟିଏ ପରେ ଗୋଟିଏ ଏହିପରି ମୋଟ ଦଶଟି ସ୍ଲୁଇସଗେଟ ଖୋଲି ପ୍ରାୟ ୧.୫୫ଲକ୍ଷ କ୍ୟୁସେକ ଜଳରାଶି ମହାନଦୀକୁ ନିଷ୍କାସିତ କରାଯାଇଛି । ଆଜି ସର୍ବପ୍ରଥମେ ବାମପକ୍ଷ ଗେଟସମୁହରୁ ୫ଟା ଓ ତାହାପରେ ଡାହାଣ ପଟରୁ ଗୋଟିଏ ଗେଟ ଖୋଲାଯାଇଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ବାମପକ୍ଷରୁ ୬ଟି ଓ ଡାହାଣ ପକ୍ଷରୁ ୪ଟି, ଏହିପରି ମୋଟ ୧୦ଟି ସ୍ଲୁଇସଗେଟ ଜରିଆରେ ପ୍ରାୟ ଏକଲକ୍ଷ ୫୫ହଜାର ବନ୍ୟା ଜଳରାଶି ଛଡାଯିବା ପାଇଁ ଉଚ୍ଚ଼ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଓ ସେହି ଅନୁସାରେ ଗେଟଗୁଡିକ ଖୋଲାଯାଉଛି । ହୀରାକୁଦ ଜଳଭଣ୍ଡାରରୁ ଏହି ପ୍ରଥମ ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ନଦୀବନ୍ଧ ସହିତ ଜିଲ୍ଲାପ୍ରଶାସନର ସମସ୍ତ ଉଚ୍ଚ଼ାଧିକାରିମାନେ ସେଠାରେ ଉପସ୍ଥିତ ରହିଥିଲେ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯାଇଥିଲା । ପୁଣି ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରାନୁସାରେ ଆଜି ସକାଳ ୮ଟା ସମୟରେ ଏହି ଜଳଭଣ୍ଡାରର ଜଳସ୍ତର ୬୧୮.୦୪ଫୁଟ ରେକର୍ଡ କରାଯାଇଥିଲା । ସେହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ଏକ ଲକ୍ଷ ୧୧ହଜାର ୨୪୪କ୍ୟୁସେକ ବନ୍ୟା ଜଳରାଶି ପ୍ରବେଶ କରୁଥିଲା ଓ ନିୟମିତ ପ୍ରକ୍ରିୟା ଅନୁସାରେ ବିଭିନ୍ନ କେନାଲ ଦେଇ ୧୬ ହଜାର ୫୦୧ କ୍ୟୁସେକ ଜଳରାଶି ପ୍ରବାହିତ ହେଉଥିଲା । ଗତ ୨୪ଘଣ୍ଟା ମଧ୍ୟରେ ଏଠାକାର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା ଓ ଜଳଭଣ୍ଡାରର ଉପରମୁଣ୍ଡରେ ଆଦୌ ବର୍ଷା ହୋଇନଥିବା ସହିତ ତଳମୁଣ୍ଡରେ ମାତ୍ର ୦୧.୬୪ମିମି ବର୍ଷା ହେବାର ରେକର୍ଡ କରାଯାଇଛି ।

hiranchal ad1
Leave A Reply

Your email address will not be published.

15 − two =