ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଥିବା ଶାଗୁଆନ ଗଛକୁ ବିନା ଅନୁମତିରେ କାଟିବା ଏବଂ ପଟା ପ୍ରସ୍ତୁତ କରି ବର୍ତ୍ତମାନ ଅଡୁଆରେ ପଡିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ । ଏପରିକି ସେ ମନମୁଖୀ ଭାବେ ବନ ବିଭାଗର ଅଜ୍ଞାତରେ ସରକାରୀ ଅନୁଷ୍ଠାନ ପରିସରରୁ ଗଛ କାଟାଇ ପଟା ପ୍ରସ୍ତୁତ କରୁଥିବା ଏବଂ ଖବର ପାଇ ବନ ବିଭାଗ ପକ୍ଷରୁ ଜବତ ହେବା ପରେ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଥାଉକି ଉକ୍ତ ବିଦ୍ୟାଳୟ ପରିସରରେ ଏକ ବଡ଼ ଶାଗୁଆନ ଗଛ ଥିବା ବେଳେ ବନ ବିଭାଗ ଓ ସ୍କୁଲ କମିଟିର ବିନା ଅନୁମତିରେ ପ୍ରଧାନ ଶିକ୍ଷୟତ୍ରୀ ମନଇଚ୍ଛା ଭାବେ ବିଦ୍ୟାଳୟ ଭିତରେ ପଟା ତିଆରି କରିଥିଲେ । ଏହି ଘଟଣାଟି କୌଣସି ମତେ ସାମ୍ନାକୁ ଆସିଥିଲା । ଏ ନେଇ ବନ ବିଭାଗର ଡିଏଫଓଙ୍କ ଦୃଷ୍ଟିରେ ପଡିବା ପରେ ବୌଦ୍ଧ ଡିଏଫଓଙ୍କ ନିର୍ଦ୍ଦେଶ ମତେ ପୁରୁଣାକଟକ ବନ ବିଭାଗ କର୍ମଚାରୀ ବିଦ୍ୟାଳୟରେ ପହଁଚି ଘଟଣା ସ୍ଥଳରୁ ୬ଫୁଟ ଲମ୍ବାର ୮ ଟି, ୫ ଫୁଟ ଲମ୍ବାର ୧୨ଖଣ୍ଡ ମୋଟ ୨୦ଖଣ୍ଡ ଶାଗୁଆନ ପଟା, ଗୋଟେ ଟାଙ୍ଗିଆ ଓ ବାର୍ସି ଜବତ କରିଥିବା ଜଣାପଡିଛି । ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିଲା ରାଣୀ ଭୁଆଁଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଏହି ପଟା ଜବତ ସମୟରେ ପୁରୁଣାକଟକ ରେଞ୍ଜର ଫରେଷ୍ଟର ଗୋବର୍ଦ୍ଧନ ମେହେର, ଗାର୍ଡ ବୀଣାପାଣି ଖଣ୍ଟୁଆ, କର୍ମଚାରୀ ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।