ବୌଦ୍ଧ,୪/୭ – ବୌଦ୍ଧ ସହରରେ ଥିବା ଡ୍ରେନ ଗୁଡିକରେ ମଇଳା ଜମି ଅସନା ପାଣି ନିଷ୍କାସନ ହୋଇପାରୁନଥିବା ଏକ ସାଧାରଣ ଘଟଣା । ଏ ସମ୍ପର୍କରେ ସହର ବାସିନ୍ଦା ଏନଏସି କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ବୁଟୁପାଲି – ବଘିଆପଡା ପୂର୍ତ୍ତବିଭାଗ ରାସ୍ତାର ଷ୍ଟେଟ୍ ବ୍ୟାଙ୍କ ଏଟିଏମ ସାମ୍ନାରେ ଥିବା ଡ୍ରେନର ଜଳ ନିଷ୍କାସିତ ହୋଇ ପାରୁନଥିବା ଯୋଗୁଁ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଡ୍ରେନଟି ନର୍ଦ୍ଦମା ପୋକ ମାନଙ୍କର ପାଳନ କେନ୍ଦ୍ରରେ ପରିଣତ ହୋଇଥିବା ହେତୁ ଘର ଭିତରକୁ ପୋକ ମାନେ ପଶି ପରିବେଶ ନଷ୍ଟ ହେଉଛି । ଜଣେ ବ୍ୟକ୍ତି ଡ୍ରେନ ଭିତରେ ଗୋଟିଏ ଲୁହା ଜାଲି ଦେଇ ଅବରୋଧ କରିଥିବାରୁ ସେଠାରେ ମଇଳା ଜମି ଜଳ ନିଷ୍କାସନ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ତେଣୁ ଏନଏସି ନିର୍ବାହୀ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।