ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ମଙ୍ଗଳଆଳତୀ ସମୟରେ ଠେଲାପେଲା ହେବା ଯୋଗୁଁ ବହୁ ହବିଷ୍ୟାଳୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି । ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ । ଆହତ ମହିଳା ମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା । ତେବେ ଏଭଳି ଘଟଣା ଦର୍ଶନ ବ୍ୟବସ୍ଥାରେ ଅହେତୁକ ତୃଟି ଯୋଗୁଁ ଘଟିଥିବା ଅଭିଯୋଗ ହେଉଛି । ମଙ୍ଗଳଆଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀ ମାନଙ୍କୁ ମଧ୍ୟ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ଘଣ୍ଟି ଦ୍ୱାର ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ । ଆହତ ହବିଷ୍ୟାଳୀ ଓ ଭକ୍ତ ମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ । ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ହୋଇଥିଲେ । କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ୟାଳୟରେ ରଖିଥିଲେ । ସେଠାରେ ସେମାନଙ୍କୁ ଫ୍ୟାନ୍ ଓ ଏସି ଲଗାଇ ଶୋଇବାକୁ ଦିଆଯାଇଥିଲା । ଓଆରଏସ ପାଣି ମଧ୍ୟ ପିଇବାକୁ ଦେଇଥିଲେ । ମାତ୍ର ଆହତ ମାନଙ୍କୁ ପର୍ଯ୍ୟାୟକ୍ରମେ ମେଡ଼ିକାଲ ପଠାଯାଇଥିଲା । ତେବେ ଦର୍ଶନ ବ୍ୟବସ୍ଥାରେ ଗଭୀର ତୃଟି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।