ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଆଜି ବ୍ଲକ ଘେରାଓ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଦଳୀୟ କର୍ମକର୍ତ୍ତା କାପସୀସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରରେ ପୂଜନ ପରେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଧାରଣାରେ ବସିଥିଲେ । ପରେ ବିଡିଓ ସର୍ବେଶ୍ୱର ଜାଲ ଧାରଣାସ୍ଥଳକୁ ଆସିଥିଲେ । ସେଠାରେ ସାଂସଦ ଶ୍ରୀ ପଣ୍ଡା ବ୍ଲକରେ ଚାଲିଥିବା ବିଭିନ୍ନ ଯୋଜନାରେ ଦୁର୍ନୀତି ଓ ପିସି କାରବାରକୁ ନେଇ ବିଡିଓଙ୍କ ଉପରେ ବର୍ଷିଥିଲେ । ଆବାସ ଯୋଜନା, ମନରେଗା, ପିଡିଏସ ଭଳି ଅନ୍ୟାନ୍ୟ ଯୋଜନା ଉପରେ ବିଭାଗୀୟ ଅଧିକାରୀଙ୍କୁ ଧାରଣା ସ୍ଥଳକୁ ଡାକି ଉତ୍ତର ମଗାଯାଇଥିଲା । ପରେ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଭିନ୍ନ ଯୋଜନାରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଆବେଦନପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଧାରଣାରେ ସାଂସଦ ଶ୍ରୀ ପଣ୍ଡାଙ୍କ ସମେତ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ଯଦୁମଣି ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଅତୀନ୍ଦ୍ର ସିଂ, ପ୍ରତାପ ମେହେର, ଅଜିତ ଚଲାନ, ତୁଳସୀ ପଟେଲ, ପୁସ୍ତମ ମଶ୍ରା,ନନ୍ଦ କୁମାର ପାତ୍ର,ପୃଥ୍ୱୀରାଜ ମହାନ୍ତିଙ୍କ ସମେତ ବିଜେପିର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।