ଆଜି ସମ୍ବଲପୁର ଜିଲ୍ଲାରେ୧୩ କରୋନା ପଜିଟିଭ ଚିହ୍ନଟ

0 82

ସମ୍ବଲପୁର : ଆଜି ୧୩ଜଣଙ୍କୁ ନୂଆ କରୋନା ପଜିଟିଭ ଚିହ୍ନଟ କରାଯାଇ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ରହିଛି । ସମଗ୍ର ଜିଲ୍ଲାରେ ଗୋଟିଏ ଦିନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ମାମଲା । ଏହା ସହିତ ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୩୬ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୩୭ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଶ୍ୱସ୍ତିର ବିଷୟ ଯେ ଆଜିକାର ୧୩ଜଣ ଙ୍କ ମଧ୍ୟରୁ ଜଣେମାତ୍ର ହୋମ କ୍ୱାରେଣ୍ଟାଇନରେ ଥିଲା ଓ ବାକି ୧୨ଜଣ ଅସ୍ଥାୟୀ ଚିକିତ୍ସା ଶିବିରରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବିଷୟରେ ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଣେ ୩୨ବର୍ଷୀୟ ପୁରୁଷ ବିହାରରୁ ଆସି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନରେ ରହିବା ପରେ ତାଙ୍କର ନିରନ୍ତର ଅନୁଧ୍ୟାନ ଓ ସ୍ୱାବ ପରୀକ୍ଷା ହେଉଥିଲା ଓ ପଜିଟିଭ ଚିହ୍ନଟ ହେଲାପରେ ଆଜି ତାକୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସହିତ ମିଳାମିଶା କରୁଥିବା ବ୍ୟକ୍ତିମାନଙ୍କୁ ନେଇ ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି । ଏହା ବ୍ୟତିତ ମହାନଗର ନିଗମ ଅଞ୍ଚଳରେ ଆଉ ଦୁଇଜଣ, ୧୭ବର୍ଷୀୟ ଯୁବକ ଓ ୩୨ବର୍ଷୀୟା ମହିଳାଙ୍କୁ ଆଜି କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଆଜିକାର ମାମଲା ମଧ୍ୟରେ ସବୁଠାରୁ କନିଷ୍ଠ ରୂପେ ଚିହ୍ନଟ ୧୭ବର୍ଷୀୟ ଯୁବକ ଜଣକ ପଞ୍ଜାବ ରୁ ଆସିଥିବା ଜଣାପଡିଛି । ଏହା ବ୍ୟତିତ ଆଜି ମାନେଶ୍ୱର ବ୍ଲକରୁ ଜଣେ, ରେଙ୍ଗାଲୀ ବ୍ଲକରୁ ୪ଜଣ ଓ ନାକଟିଦେଉଲ ବ୍ଲକରୁ ୫ଜଣଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି । ଏମାନଙ୍କ କାହାରି ଦେହରେ କରୋନା ଲକ୍ଷଣ ଦେଖା ଯାଇ ନ ଥିଲା କିନ୍ତୁ ସେମାନେ ସ୍ୱାବ ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ସେମାନଙ୍କ ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ ପ୍ରକ୍ରିୟା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

four × four =