ମୁଣ୍ଡେଶ୍ୱର ଜଙ୍ଗଲରେ ହାତୀ ଶିକାର ଘଟଣା ୨ଜଣ ନିର୍ଦ୍ଦୋଷଙ୍କୁ ଧରି ବନ କର୍ମଚାରୀ ହଟହଟା

0 428

ହରଭଙ୍ଗା,୬/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗତ ମାସ ୧୭ତାରିଖରେ ଶିକାରୀ ଗୁଳିରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପୂର୍ବରୁ ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ତେବେ ଉକ୍ତ ହାତୀ ଶିକାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଓ ବିଭାଗୀୟ ଅଧିକାରୀଙ୍କ ନିରପେକ୍ଷ ତଦନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଥିଲେ । ରବିବାର ବନବିଭାଗ ପକ୍ଷରୁ ଏହି ମାମଲାରେ ପୁଣି ଆଉ ୨ଜଣ ସ୍ଥାନୀୟ ଯୁବକଙ୍କୁ ଧରିଥିବା ଖବର ଜଣାପଡିବା ପରେ ସ୍ଥାନୀୟ ଆଖପାଖ ଗ୍ରାମର ବନବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶତାଧିକ ମହିଳା ଓ ପୁରୁଷ ନିର୍ଦ୍ଦୋଷ ୨ଯୁବକଙ୍କୁ ଛାଡିବା ପାଇଁ ତଳଗାଁ ଫରେଷ୍ଟରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଖବରପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପ୍ରକୃତ ହାତୀଶିକାରୀଙ୍କୁ ଧରିବାକୁ ସକ୍ଷମ ନହୋଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଜ ଚାକିରି ରକ୍ଷାପାଇଁ ନିରୀହ ବନବାସୀଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦେଖି ବନବିଭାଗ ଦ୍ୱାରା ଅଟକ ରଖିଥିବା ୨ଯୁବକଙ୍କୁ ଛାଡିଦିଆଯିବା ପରେ ଲୋକେ ଧାରଣା ପ୍ରତ୍ୟାହାର କରିଥିଲେ । ଏ ସମ୍ପର୍କରେ ବୌଦ୍ଧ ଡିଏଫଓ ଙ୍କ ମତାମତ ଜାଣିବା ପାଇଁ ଫୋନ କରିଥିଲେ ବି ସେ ରିସିଭ ନକରିବାରୁ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ହରଭଙ୍ଗା ଥାନା ଅଧିକାରୀଙ୍କୁ ପଚରା ଯିବାରୁ ଏ ନେଇ ବନବିଭାଗ ଦ୍ୱାରା କୌଣସି ଅଭିଯୋଗ ହୋଇନଥିବା ସେ କହିଥିଲେ । ପ୍ରକାଶ ଥାଉକି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସାତଖଣ୍ଡ ଓ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ସବୁଠାରୁ ଘଞ୍ଚ ଜଙ୍ଗଲ ଭାବେ ଜଣାଶୁଣା । ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଆସିଛି । ତେବେ ଦନ୍ତାହାତୀ ଶିକାର ଘଟଣାରେ ଦୀର୍ଘ ୩ଦିନ ଧରି ସ୍ଥାନୀୟ ୭ଜଣ ଗ୍ରାମବାସୀଙ୍କୁ ଅଟକରଖି ତଦନ୍ତ କରିବା ପରେ ବନବିଭାଗ ସେମାନଙ୍କ ଭିତରୁ ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲେମଧ୍ୟ ଶିକାରବେଳେ ବ୍ୟବହୃତ ବନ୍ଧୁକ ଜବତ କରିବାକୁ ସକ୍ଷମ ହୋଇନଥିଲା । ଅପରପକ୍ଷରେ ଦନ୍ତା ହାତୀ ମୃତ୍ୟୁ ପାଇଁ ବିଭାଗ ପକ୍ଷରୁ ଆଜିସୁଧା କୌଣସି ଅଧିକାରୀ ବା କର୍ମଚାରୀଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ବିଭାଗୀୟ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

eleven − 9 =