ପୁରୀ : ବଡଦିନ ଓ ନୂଆବର୍ଷ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଆରମ୍ଭ ହୋଇଛି । ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ୱାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଉଦଘାଟିତ କରିଥିଲେ । ସରିତା ଓ ତାଙ୍କ ସାଥି ମିଳିତ ଉଦ୍ୟମରେ ୩୦ ପୁଟର ବାଲୁକା କଳା ମାଧ୍ୟମରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସହ ସଂସ୍କୃତି, ପରିବେଶ ସୁରକ୍ଷା ବାର୍ତ୍ତା ନେଇଥିବା ବେଳେ ଅଲିଭ ରିଡ଼ଲେ କଇଁଛ, ଡଲଫିନ ମାନଙ୍କୁ କିପରି ଉପକୂଳରେ ସୁରକ୍ଷା ଦିଆଯିବ ବାଲୁକା ଚିତ୍ରକଳାରେ ଦର୍ଶାଇଛନ୍ତି । ତେବେ କୋଣାର୍କକୁ ବଡ ଦିନ ଓ ନବ ବର୍ଷ ଅବସରରେ ଅନେକ ପର୍ଯ୍ୟଟକ ଭ୍ରମଣ ପାଇଁ ଆସୁଥିବା ବେଳେ ଏଠାରେ ଆଉ କିଛି ସମୟ ବିତାଇବା ପାଇଁ ଏହି ବାଲୁକା ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରଯାଇଛି । ଯାହାକି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଚି ।