ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

0 102

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି । ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ପାଇଁ ପୁରୀକୁ ଉତ୍ସବ ମୁଖରିତ କରାଯିବ । ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବାକୁ ଯାଉଛି । ରଥଯାତ୍ରା ସମୟରେ ଯେଉଁଭଳି ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ବସି ଭକ୍ତମାନେ ପହଣ୍ଡି ଆଦିର ଦର୍ଶନ କରିବାକୁ ସୁଯୋଗ ପାଇଥାନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ । ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା ସମସ୍ତ ମଠ ଓ ଧର୍ମଶାଳାର ଛାତକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଛି । ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଡୁଡୁୱାଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗର ପଠାଘର ଓ ସିଂହଦ୍ୱାର ସୂଚନାକେନ୍ଦ୍ରର ପରିଚାଳକମାନଙ୍କୁ ଚିଠି କରିଛନ୍ତି । ଏହି କୋଠାକୁ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବ ବୋଲି ଚିଠି ହୋଇଛି । ଏହି କୋଠାମାନଙ୍କରେ ଛାମୁଣ୍ଡିଆ ବନ୍ଧାଯାଇ ଏଠାରେ ଭକ୍ତମାନଙ୍କୁ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ବୈଠକ ରେ କହିଥିଲେ ।ଆସନ୍ତା ୧୧ ତାରିକ ସୁଦ୍ଧା ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯିବ ଏବଂ ଆସନ୍ତା ୧୪ ତାରିକ ସୁଦ୍ଧା ପୋଲିସ ପ୍ରଶାସନକୁ, ସୁରକ୍ଷା ବ୍ୟବସ୍ତା ହସ୍ତାନ୍ତର କରାଯିବ । ନିମନ୍ତ୍ରିତ ଅତିଥି ମାନଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ତା ଶ୍ରୀମନ୍ଦିର ପ୍ରଶାସନଙ୍କ କାର୍ଯ୍ୟ ରହିଛି । ଜିଲ୍ଲାୱାରୀ ଲୋକେ କିଭଳି ଶ୍ରୀକ୍ଷେତ୍ରକୁ ଆସିବେ ସେ ନେଇ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ସମସ୍ତ ଗାଡ଼ି ସମଙ୍ଗ ଠାରେ ହୋଇଥିବା ନୂତନ ପାର୍କିଂ ଠାରେ ପାର୍କିଂ କରାଯିବ । ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଶୌଚାଳୟ ଓ ବିଶ୍ରାମଗାରର କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଆସନ୍ତା ଜାନୁଆରୀ ୧୨ ତାରିଖରେ ଶ୍ରୀ ସେତୁର ତୋରଣ ଲୋକାର୍ପିତ ହେବ । ଅନ୍ୟପଟରେ ଜଗନ୍ନାଥ ଦର୍ଶନ ପାଇଁ ନୂତନ କରି ପ୍ରସ୍ତୁତ ଏସି ସେଡ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ସଂଲଗ୍ନ ସାହି ରାସ୍ତା ଗୁଡ଼ିକ ବନ୍ଦ ରହିଥିବାରୁ ସାହି ବାସିନ୍ଦା ମାନଙ୍କର ଅସନ୍ତୋଷ ରହିଛି । ତେଣୁ ଏ ବାବଦରେ ଜିଲ୍ଲା ପ୍ରଶାସନ ଓ ଓବିସିସି ଅଧିକାରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ । ସେପଟେ ଆସନ୍ତାକାଲି ଠାରୁ ପ୍ରତି ପଞ୍ଚାୟତରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପରେ ଭକ୍ତଙ୍କ ଠାରୁ ସଂଗୃହିତ ଗୁଆ,ଚାଉଳ ଗୁଡ଼ିକୁ ମହାପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହୃତ କରାଯିବ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାନ୍‌କେଟ୍‌ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୁରୀ ସହର । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାର ସୂଚନା ଦେଇଥିଲେ । ସମଙ୍ଗ ପର୍କିଙ୍ଗଠାରୁ ଆରମ୍ଭ କରି ଶ୍ରୀମନ୍ଦିର କରିଡର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଛି ସମସ୍ତ ବ୍ୟବସ୍ଥା । ସମଙ୍ଗ ପାର୍କିଙ୍ଗ, ଜଗନ୍ନାଥ ବଲ୍ଲଭ ମଠ ଓ ଶ୍ରୀମନ୍ଦିର କରିଡର ରେ ରହିବ ଅଗ୍ନିଶମ ଗାଡି ଓ ନିୟୋଜିତ ରହିବ ।
ଆସନ୍ତା ଜାନୁଆରୀ ୧୭ ତାରିଖରେ ଗୋଟିଏ ପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଅନ୍ୟପଟରେ ସମଙ୍ଗର ବିଶ୍ୱସ୍ତରୀୟ ପାର୍କିଂ ଓ ଓଡ଼ିଶାର ପ୍ରଥମ ଟ୍ରମ୍‌ପେଟ ବ୍ରିଜ ଶ୍ରୀସେତୁ ମଧ୍ୟ ଲୋକାର୍ପିତ ହେବ ବୋଲି ବୈଠକରୁ ସୂଚନା ମିଳିଥିଲା ।

hiranchal ad1
Leave A Reply

Your email address will not be published.

2 × 2 =