ବାଲିଗୁଡ଼ା: ଚଳିତ ବର୍ଷ ଦେଶ ପାଳିବ ୭୫ ତମ ଜନରାଜ୍ୟ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା । ଏହି ବୈଠକରେ ଆଗାମୀ ୭୫ ତମ ଜନରାଜ୍ୟ ଦିବସକୁ କିଭଳି ସୁରୁଖୁରୁରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଜନରାଜ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ସମ୍ବନ୍ଧରେ ଆଲୋଚନା କରିବା ସହ ସେସବୁକୁ ପରିଚାଳନା କରିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଦିଆଯିବା ସହ ପ୍ୟାରେଡ଼ ପଡିଆ ସାଜସଜ୍ଜା, ରାସ୍ତାଘାଟ ସଫାସୁତୁରା, ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ସଂଚାଳନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏଥିରେ ବାଲିଗୁଡ଼ାର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଆସନ୍ତା ୧୬ ତାରିଖରୁ ଜନରାଜ୍ୟ ଦିବସ ଉପଲକ୍ଷେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ୨୫ ତାରିଖ ଦିନ ସକାଳ ୭ଟା ସମୟରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ଏବଂ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିନି ମାରାଥନ୍ ଶେଷ ହେବାକୁ ନିଷ୍ପତ୍ତି ହୋଇଛି ।