ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ,ଗଭୀର ଶୋକପ୍ରକାଶ କଲେ ଜିଲ୍ଲାପାଳ

0 63

କେନ୍ଦୁଝର,୨/୬:- କେନ୍ଦୁଝରର ଗର୍ବ ଓ ଗୌରବ ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗ ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ବର୍ଷ ଧରି କଣ୍ଢେଇ ନୃତ୍ୟ ପରିବେଷଣ କରି ସ୍ୱର୍ଗତ କୁଅଁର ଏହି ଲୁପ୍ତପ୍ରାୟ ଲୋକକଳାର ବ୍ୟାପକ ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ ବେଶ ଆଦୃତି ଲାଭ କରିଥିଲେ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ କୁଅଁରଙ୍କ ପରଲୋକ ଗମନ ଖବର ପ୍ରାପ୍ତ ହେଲାପରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିର୍ଜୀବ କାଠ ନିର୍ମିତ କଣ୍ଢେଇକୁ ନିଜ ଯାଦୁଗରୀ କଳା ନୈପୁଣ୍ୟତା ମାଧ୍ୟମରେ ଜୀବନ୍ତକରି ଏହି କଳାକୁ ବିଶ୍ୱବିଦିତ କରିପାରିଥିବା ସ୍ୱର୍ଗତ କୁଅଁରଙ୍କ ବିୟୋଗ କେନ୍ଦୁଝର ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ଶୋକବାର୍ତ୍ତାରେ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏହାସହିତ ସେ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସ୍ୱର୍ଗତ କୁଅଁରଙ୍କ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ସୋରେଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ଡେପୁଟି କଲେକ୍ଟର ସୁଶ୍ରୀ ରୁପାଲି ହାଁସଦା, ଏସଡ଼ିପିଓ ଶ୍ରୀ ମହେନ୍ଦ୍ରନାଥ ମୁର୍ମୁ, ଜିଲ୍ଲା ପର୍ଯ୍ୟଟନ ଓ ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପୀତବାସ ମହାନ୍ତ ଓ ଋଷିକାନ୍ତ ମହାନ୍ତ ପ୍ରମୁଖ ଶ୍ମଶାନରେ ଉପସ୍ଥିତ ରହିଥିଲେ । ପୋଲିସ ପକ୍ଷରୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା । ସୂଚନାଥାଉ କି ସ୍ୱର୍ଗତ କୁଅଁରଙ୍କ ମୃତ୍ୟୁ ଖବର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମାପନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − 4 =