ଶ୍ରାବଣର ପ୍ରଥମ ପାଳି ପାଇଁ ବୋଲବମ ଭକ୍ତଙ୍କ ଭିଡ

0 22

ଶ୍ରାବଣର ସ୍ପର୍ଶରେ ସବୁଜିମା ହୋଇଛି ସାରା ସଂସାର। ଶ୍ରାବଣର ପ୍ରଥମ ବୃଷ୍ଟି ଜଳରେ ନଦୀମାନେ ହୋଇଛନ୍ତି ପୂର୍ଣ୍ଣଗର୍ଭା। ନୂତନ ଜଳରେ ଉନ୍ମାଦିତ ହୋଇଛି ନଦୀ ଗର୍ଭ । ଏହି ନୂତନ ଜଳକୁ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି କଲେ ଅକ୍ଷୟ ଐଶ୍ୱର୍ୟ୍ୟ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ। ତେଣୁ ଶ୍ରାବଣର ପ୍ରଥମ ସୋମବାରରେ ଶୈବପୀଠରେ ଲାଗିଛି ଜଳଲାଗି ପାଇଁ କାଉଡ଼ିଆ ଭକ୍ତଙ୍କ ଭିଡ଼ । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବରେ ଜଣାଶୁଣା ଶ୍ରୀକ୍ଷେତ୍ରର ବାବା ଲୋକନାଥଙ୍କ ପୀଠ ମଧ୍ୟ ଶିବମୟ ହୋଇଛି। ହଜାର ହଜାର କାଉଡ଼ିଆ ଭକ୍ତ ଯାଇ ଜଳଲାଗି କରିବା ସହ ମାନସିକ ପୂର୍ଣ୍ଣ କରିଛନ୍ତି। ଦିନେ ଶ୍ରୀରାମ ଯେଉଁ ପୀଠରେ ଶଙ୍କରକୁ ଆରାଧନା କରିଥିଲେ। ହରିଙ୍କ ସହ ଯାହାଙ୍କର ଅନନ୍ୟ ଉପାସନା ହୁଏ। ବର୍ଷସାରା ଯିଏ ଜଳରେ ବୁଡି ରହିଥାନ୍ତି, ସେହି ଲୋକନାଥ ବାବାଙ୍କ ପୀଠରେ ଜଳଲାଗି କରି ଆନନ୍ଦିତ ହୋଇଛନ୍ତି ଭକ୍ତ। ଗତକାଲି ଅପରାହ୍ନରୁ ଜଳଲାଗି ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ରାତ୍ରପ୍ରାୟ ସାଢେ଼ ୧୨ଟାରୁ ମଙ୍ଗଳ ଆଳତି ସରିବା ପରେ ମଇଲମ ଅବକାଶ ହୋଇ ପ୍ରାୟସାଢେ଼ ଗୋଟାଏ ଠାରୁ ଆରମ୍ଭ ହୋଇଥିଲା ଜଳଲାଗି । କୁଷ୍ଠାଶ୍ରମ ନିକଟ ଟିକେଟ କାଉଣ୍ଟରରୁ ୨୦ ଟଙ୍କାର ଟିକେଟ ନେଇ ଜଳଲାଗି ପାଇଁ ଲାଇନରେ ଯାଇଥିଲେ କାଉଡ଼ିଆ ଭକ୍ତ। ଥକିଯାଇଥିବା କାଉଡ଼ିଆ ଭକ୍ତଙ୍କ ପାଦ ଗୁଡିକ ଯେମିତି ଜଳଲାଗି ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା। ବ୍ୟାରିକେଡରେ ଯାଇ ରୋଷଘର ପଛପାର୍ଶ୍ଵ ପଟୁ ମନ୍ଦିର ପ୍ରବେଶ କରିବା ସହ ଲକ୍ଷ୍ମୀ ଦ୍ୱାର ନିକଟରେ ଜଳଲାଗି କରି ଫେରିଥିଲେ କାଉଡ଼ିଆ ଭକ୍ତ। ହଜାର ହଜାର କାଉଡିଆଙ୍କ ଆଗମନୀକୁ ଦୃଷ୍ଟିରେ ରଖି ଲୋକନାଥ ମନ୍ଦିର ନିକଟରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିବା ବେଳେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ଅସ୍ଥାୟୀ ସେଡ, ପାନୀୟ ଜଳ ଆଦି ବ୍ୟବସ୍ତା ପ୍ରଶାସନ ପକ୍ଷରୁ କରାଯାଇଥିଲା। କାଉଡିଆଙ୍କ ଭାଵ, ଶ୍ରଦ୍ଧା ଏବଂ ବୋଲବମ ହର ହର ବମର ଡାକରା ସମଗ୍ର ପରିବେଶକୁ ଉଲ୍ଲସିତ କରାଇଥିଲା। ଚଳିତବର୍ଷ ଚାରୋଟି ବଦଳରେ ପାଞ୍ଚୋଟି ସୋମବାରରେ କାଉଡିଆ ମାନେ ଜଳଲାଗି କରିପାରିବେ I ପ୍ରଶାସନ ତରଫରୁ କଡାସୁରକ୍ଷା ବ୍ୟବସ୍ଥା, ପ୍ରାୟ ୨୦୦୦ ଲୋକଙ୍କ ପାଇଁ ଶେଡ଼, ପାନୀୟ ଜଳ ବ୍ୟବସ୍ଥା ଆଦି କରାଯାଇଥିଲା ବେଳେ ପ୍ରଥମ ସୋମବାରରେ ପ୍ରାୟ ଆଠ ଦଶହଜାର କାଉଡ଼ିଆ ଭକ୍ତ ଜଳଲାଗି କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nine − eight =