ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମା ଚାରିଛକକୁ ୭୨ ଘଣ୍ଟା ପାଇଁ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । ଝାଡ୍ରାଜିଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଗଞ୍ଜାମରୁ ଫେରି ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ଶରୀରରେ କରୋନା ସଂକ୍ରମଣ ରିପୋର୍ଟ ଆଜି ଆସିଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ରିପୋର୍ଟ ଆସିବା ପରେ ପ୍ରଶାସନ ଓ ପୋଲିସ୍ ତରଫରୁ ସମଗ୍ର ଚାରିଛକକୁ ଅବରୋଧ କରାଯାଇଛି । ଆଗାମୀ ୭୨ ଘଣ୍ଟା ପାଇଁ ଚାରିଛକ ଠାରେ ଥିବା ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ସେହିପରି ବାହାର ଲୋକ ଚାରିଛକ ଓ ଚାରିଛକ ଲୋକ ବାହାରକୁ ନଯିବା ପାଇଁ ପ୍ରଶାସନ ଅନୁରୋଧ କରିଛି ।
ଘଟଣାସ୍ଥଳରେ ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ତହସିଲଦାର ବବିତାରାଣୀ ଦଳବେହେରା, ପୁରୁଣାକଟକ ଥାନା ଅଧିକାରୀ ଓ ହରଭଙ୍ଗା ବ୍ଲକ୍ ବିଡିଓ ଚାରିଛକ ଠାରେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି ।