ବିଷାକ୍ତ ସାପ କାମୁଡାରେ ଅକାଳରେ ଝଡିଗଲେ ୩ ନାବାଳିକା ଭଉଣୀ, ବାପା ଗୁରୁତର

0 220

ବୌଦ୍ଧ:- ବୌଦ୍ଧରେ ଗତ ରାତିରେ ବିଷାକ୍ତ ସାପ କାମୁଡାରେ ଗୋଟିଏ ପରିବାରର ତିନି ନାବାଳିକା ଭଉଣୀଙ୍କର ଅକାଳରେ ମୃତ୍ୟୁ ଘଟିଛି । ଗୁରୁତର ଅସୁସ୍ଥ ବାପାଙ୍କୁ ବୌଦ୍ଧ ଡାକ୍ତରଖାନାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର । ଗୋଟିଏ ପରିବାରର ସମସ୍ତ ସଦସ୍ୟ ଖାଇପିଇ ଗତରାତିରେ ଶୋଇଥିବା ବେଳେ ଘଟିଛି ଏଭଳିି ଅଘଟଣ । ସବୁଠାରୁ ବଡ଼କଥା ହେଲା ଘରର ତିନି ଝିଅ ଏବଂ ବାପା ସାପ କାମୁଡାର ଶିକାର ହୋଇଥିବା ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଲୋକେ ତାଙ୍କୁ ଡାକ୍ତରଖାନା ଆଣିବା ପୂର୍ବରୁ ପ୍ରଥମେ ଝଡାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଥିଲେ । ହେଲେ ସେଥିରେ କୌଣସି ସୁଫଳ ନମିଳିବାରୁ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ସାନଝିଅ ଏବଂ କିଛି ସମୟ ପରେ ବଡଝିଅର ମୃତ୍ୟୁ ଘଟିଥିଲା । ପ୍ରାୟ ଏକଘଣ୍ଟାପରେ ଚିକିତ୍ସିତ ହେଉଥିବା ମଝିଆ ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା । ଏ ଖବର ଜଣାପଡିବା ପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଚରିଆପାଲି ଗ୍ରାମର ଶୈଳେନ୍ଦ୍ର କୁମାର ମଲ୍ଲିକଙ୍କ ପରିବାର ଗତରାତିରେ ଖାଇପିଇ ଚଟାଣରେ ଶୋଇଥିଲେ । ମଧ୍ୟରାତିରେ ଏକ ବିଷାକ୍ତ ଚିତିି ସାପ ଘରେ ପଶି ପ୍ରଥମେ ତିନି ବର୍ଷର ଝିଅ ସୁରଭିକୁ କାମୁଡିବା ସହ ପରେ ୧୩ବର୍ଷୀୟ ବଡ ଝିଅ ସୁଧିରେଖା ଏବଂ ୧୨ବର୍ଷର ଝିଅ ଶୁଭରେଖାକୁ କାମୁଡିଥିଲା । ମାତ୍ର ସେମାନେ ସମସ୍ତେ ନିଘୋଡ ନିଦରେ ଶୋଇଥିବାରୁ କେହି ଜାଣିପାରି ନଥିଲେ । ମାତ୍ର ସାପଟି ଶେଷରେ ବାପା ଶୈଳେନ୍ଦ୍ରଙ୍କୁ କାମୁଡିଥିଲା । ସେ କଣ କାମୁଡିଲା ବୋଲି ଉଠିପଡି ଲାଇଟ ଲଗାଇବାରୁ ଚିତ୍ତି ସାପକୁ ଦେଖିବାକୁ ପାଇଥିଲେ । ପ୍ରକାଶ ଥାଉକି ଫୁଲବାଣୀ ରାଣୀପଥର ଆବାସିକ ସେବାଶ୍ରମରେ ରହି ପାଠ ପଢ଼ୁଥିବା ମୃତ ଶୈଳେନ୍ଦ୍ରଙ୍କ ବଡଝିଅ ଏବଂ ବୌଦ୍ଧ ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ସେବାଶ୍ରମରେ ରହି ପଢ଼ୁଥିବା ମଝିଆ ଝିଅ ଗତକାଲି ନୁଆଁଖାଇବା ପାଇଁ ଘରକୁ ଆସିଥିଲେ । ଏଭଳି ଅଭାବନୀୟ ଘଟଣା ବୌଦ୍ଧରେ ଶୋକର ଛାୟା ଖେଳାଇ ଦେଇଛି । ଖବରପାଇ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଡାକ୍ତରଖାନାକୁ ଯାଇ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ରେଡକ୍ରସ ତରଫରୁ ଓ ସାପ କାମୁଡାରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ । ଏନେଇ ସେ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରି ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ତଥା ତାଙ୍କର ଅନ୍ତେଷ୍ଟିକ୍ରିୟାର ସମସ୍ତ ବ୍ୟବସ୍ଥା କରିବାକୁ କହିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =