କାର୍ତ୍ତିକ ବ୍ରତ ଆରମ୍ଭ ତାରିଖକୁ ନେଇ ଦ୍ୱନ୍ଦ୍ୱରେ ହବିଷ୍ୟାଳୀ

0 71

ପୁରୀ : ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱୀକୃତି ପାଇଥିବା ପଞ୍ଜିକାରେ ଦ୍ୱନ୍ଦ୍ୱ । କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀ ମାନେ ତାଙ୍କର ବ୍ରତ ଆରମ୍ଭ କରିବାକୁ ସେନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ଅକ୍ଟୋବର ୧୭ କୁମାର ପୂର୍ଣ୍ଣିମା ଓ ଅକ୍ଟୋବର ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ଯୋଜନା ମଧ୍ୟ ଅକ୍ଟବର ୧୮ରୁ ଆରମ୍ଭ ହେଉଛି ସେହିଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ସହ ହବିଷ୍ୟାଳି ମାନଙ୍କୁ ମହାପ୍ରସାଦ ଯୋଗାଇଦିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ।
ପହିଲି କାର୍ତ୍ତିକ ବ୍ରତ କେଉଁ ଦିନ ଆରମ୍ଭ କରିବେ କାର୍ତ୍ତିକ ବ୍ରତଧାରିଣୀ ହବିଷ୍ୟାଳୀ? କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହେବ ନା କୁମାର ପୂର୍ଣ୍ଣିମା ପରଦିନ ହବିଷ୍ୟାଳୀ ମାନେ ବ୍ରତ ପାଇଁ ସଙ୍କଳ୍ପ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ ? କିଛି ପଞ୍ଜିକାରେ ଅକ୍ଟୋବର ୧୭ ତାରିଖରେ କୁମାର ପୂର୍ଣ୍ଣିମା, ସୁଦର୍ଶନ ମହାପ୍ରଭୁଙ୍କ ଚାରି ଆଶ୍ରମ ବିଜେ ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି । କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣିମା ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ କାର୍ତ୍ତିକ ବ୍ରତ । ଏଭଳି ପଞ୍ଜିକାର ଭିନ୍ନ ଭିନ୍ନ ତଥା ଅସମାଞ୍ଜସ୍ୟ ଯୋଗୁଁ କେଉଁ ଦିନ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ଜାଣି ପାରୁନାହାନ୍ତି ହବିଷ୍ୟାଳୀ ।ପଞ୍ଜିକାର ତିଥି, ବାର, ଯାନି ଯାତ୍ର, ଶୁଭ ତଥା ମାହେନ୍ଦ୍ର ବେଳା, ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ, ଉପାସନା ଆଦି କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଯାନି ଯାତ୍ରାକୁ ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ ବା କିପରି ସେହି ପର୍ବକୁ ପାଳନ କରିବେ ତାକୁ ନେଇ ତର୍କ ବିତର୍କ ଲାଗିରହେ ।ଏଣୁ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ତାର ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ତାରିଖରେ ହେଉଥିବାରୁ ତାକୁ ସାଧାରଣ ଲୋକଙ୍କ ସମେତ ହବିଷ୍ୟାଳୀ ମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆସନ୍ତାକାଲି ବୁଧବାର ଗଜଲକ୍ଷ୍ମୀ ପୂଜା ଓ ଏହାର ପରଦିନ କୁମାର ପୂର୍ଣ୍ଣିମା ବ୍ରତ ପାଳନ ନେଇ ଗବେଷକ ମାନେ ସ୍ପଷ୍ଟ କରିଛନ୍ତି । ଫଳରେ ଶୁକ୍ରବାର ଠାରୁ ଧର୍ମମାସ କାର୍ତିକ ଆରମ୍ଭ ହେଉଥିବା ହେତୁ କାର୍ତିକ ବ୍ରତ ପାଳନ ଆଗାମୀ ୧୮ ତାରିଖ ଠାରୁ କରିବା ନେଇ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ ପଞ୍ଜିକା କରିବାକୁ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି । ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣୀ ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ବାର ତାରତମ୍ୟ ଦେଖାଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ମତ ରଖିଛନ୍ତି ବରିଷ୍ଠ ସେବାୟତ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଯେଉଁ ପଞ୍ଜିକାକୁ ସ୍ୱୀକୃତି ମିଳିଛି ସେଥିରେ ମଧ୍ୟ ଭିନ୍ନ ଭିନ୍ନ ତାରିଖ ରହିଛି ଯାହାକୁ ନେଇ ସନ୍ଦେହ ମୋଚନର ଆବଶ୍ୟକତା ରହିଥିବା କହିଛନ୍ତି ପଞ୍ଜୀକାର ହରିଶଙ୍କର ମିଶ୍ର । ତେବେ ଶ୍ରୀମନ୍ଦିରରେ ଆଗାମୀ ଗୁରୁବାର ଦିନ କୁମାରପୂର୍ଣ୍ଣିମା ପର୍ବ ଓ ଆସନ୍ତା ଶୁକ୍ରବାର ଅର୍ଥାତ ୧୮ ତାରିଖ ଦିନ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ନୀତି ପ୍ରଶାସକ ।
ବିଭିନ୍ନ ସମୟରେ ପାଞ୍ଜିରେ ଭୁଲ୍ ଭଟକା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦ୍ୱରେ ରହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ପାଞ୍ଜି କରିବା ଉପରେ ସାଧାରଣରେ ଦାବି ଓ ଗୁରୁତ୍ୱ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

4 × 5 =