ବିଦାହେଲେ ସଚିନ୍

0 123

ଜୟପୁର : ରାଜସ୍ଥାନ ରାଜନୀତି ଆଜି ନାଟକୀୟ ମୋଡ଼ ନେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ପଡ଼ିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଶକ୍ତ ଝଟ୍କା ଲାଗିଛି । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କର ଦୁଇ ଅନୁଗତ ବା ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି । ରାଜ୍ୟରେ ଦେଖାଦେଇଥିବା ସଙ୍କଟର ସମାଧାନ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଆସିଥିବା କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୂର୍ଯ୍ୟୱାଲା ଏ ସଂପର୍କରେ ଆଜି ସୂଚନା ଦେଇଛନ୍ତି । ସଚିନ୍ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗତକାଲି ଶେଷ ପର୍ଯ୍ୟନ୍ତ ଉଦ୍ୟମ କରାଯାଇଥିଲା; କିନ୍ତୁ ଦଳର କେନ୍ଦ୍ରୀୟ ନେତାମାନଙ୍କ କୌଣସି ପ୍ରସ୍ତାବକୁ ସେ ଗ୍ରହଣ କରିନଥିଲେ । ଯାହାଫଳରେ ତାଙ୍କ ବିରୋଧରେ ଆଜି ଚରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ ଜାରି ରଖିଛି । ଦଳ ପକ୍ଷରୁ ପାଇଲଟ୍ ଓ ଗେହଲଟଙ୍କ ମଧ୍ୟରେ ବୁଝାମଣା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ତେଣୁ କଂଗ୍ରେସ ପକ୍ଷରୁ ସଚିନ୍ ପଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକକୁ ଆସି ନଥିଲେ ପାଇଲଟ୍ । ତାଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ଲାଗି ସେମାନଙ୍କୁ ଏକ ହୋଟେଲକୁ ନେଇ ରଖାଯାଇଥିଲା । ମାତ୍ର ସଚିନ ପାଇଲଟଙ୍କ ସହ ବୁଝାମଣା ସମ୍ଭବ ହୋଇ ନ ଥିଲା ।
ଇତିମଧ୍ୟରେ ସରକାରକୁ ବାହାରୁ ସମର୍ଥନ ଦେଉଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଜଣାଇଛନ୍ତି । ୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳ ୧୦ ଜଣ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ବିଜେପିର ୭୨ ଏବଂ ତିନି ଜଣ ସହଯୋଗୀ ପାର୍ଟିର ବିଧାୟକ ରହିଛନ୍ତି । ତେବେ ପାଇଲଟ୍ଙ୍କ ଶିବିର ପକ୍ଷରୁ ଦାବି କରାଯାଇଛି ଯେ ଗେହଲଟ୍ଙ୍କ ସହ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଗେହଲଟଙ୍କ ବୈଠକରେ ମାତ୍ର ୧୦୬ ଜଣ ବିଧାୟକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

8 + eight =