ରେଢ଼ାଖୋଲ :ବୁଧବାର ରାତ୍ରୀ ପ୍ରାୟ ୮ ବେଳେ ରାଞ୍ଚି-ବିଜୟିୱାଡ଼ା ଜାତୀୟ ରାଜପଥ ରେଢ଼ାଖୋଲ ଥାନା ବଡବାହାଳ ଝରାମୁଣ୍ଡା ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ରେଢ଼ାଖୋଲ ନୁଆସାହି ର ଅବସର ପ୍ରାପ୍ତ ରେଞ୍ଜ ଅଧିକାରୀ ରମେଶ ପ୍ରସାଦ କର୍ଣ୍ଣ (୬୩),ଏବଂ ଆହତ ଦୁଇଜଣ ହେଲେ ବଡବାହାଳ ପଂଚାୟତ ଲଇଣ୍ଡା ମାଳ ଗ୍ରାମର ସହଦେଵ ମିର୍ଦ୍ଧା (୨୨) ଓ ସୁମନ୍ତ ମୁଣ୍ଡା (୨୪)। ସୂଚନା ମତେ ଆଜି ରାତି ପ୍ରାୟ ୮ ଟା ବେଳେ କଦଳିଗଡ ରୁ ନିଜ ଘର ରେଢ଼ାଖୋଲ ଅଭିମୁଖେ ବାଇକ ରେ ଶ୍ରୀ କର୍ଣ୍ଣ ଆସୁଥିବା ବେଳେ ସମାନ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ପରେ ବଡବାହାଳରୁ ନିଜ ଗ୍ରାମ ଲଇଣ୍ଡା ମାଳ ଅଭିମୁଖେ ଏକ ବାଇକରେ ସହଦେଵ ଓ ସୁମନ୍ତ ଙ୍କୁ ମଧ୍ୟ ସେହି ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ଦୁର୍ଘଟଣାରେ ଉଭୟ ବାଇକ ଆରୋହୀ ଗୁରୁତର ଆହତ ଭୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିଲେ। ଦୁର୍ଘଟଣା ରେ ୩ ବାଇକ ଆରୋହୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନେ ଗୁରୁତର ଥିବାରୁ ଏଠାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏନେଇ ରେଢ଼ାଖୋଲ ପୁଲିସ ଖବର ପାଇ ଡାକ୍ତରଖାନାକୁ ପହଞ୍ଚିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇ ଥିବା ବେଳେ ରମେଶ କର୍ଣ୍ଣଙ୍କ ମୃତ୍ୟୁ ଘଟି ଥିବା ଜଣାଯାଇଛି ।
