ବୌଦ୍ଧ,୧୬/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଶିମିଳିପଦର ଗ୍ରାମର ସୁଶାନ୍ତ ମିଶ୍ର ବୌଦ୍ଧସ୍ଥିତ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସମବାୟ ନିରୀକ୍ଷକ ଗୁରୁ ଚରଣ ଦାସ ଓ ଅରୁପାନନ୍ଦ ପଣ୍ଡାଙ୍କୁ ଘଟଣାର ତଦନ୍ତ ପାଇଁ ମେ ୬ ତାରିଖରେ ସହକାରୀ ନିବନ୍ଧକ ନିର୍ଦ୍ଦେଶ ଦେଇଥିଲେ । ଏ ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି ।
ଅଭିଯୋଗକାରୀ ତଦନ୍ତରେ ଶିଥିଳତା ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଅନଶନ ପାଇଁ ଧମକ ଦେଇଛନ୍ତି । ଏ ସଂପର୍କରେ ସହକାରୀ ନିବନ୍ଧକ ଭୀମସେନ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଶିମିଳିପଦର ସମିତି ଉପରେ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ତଦନ୍ତ କରୁଥିବା ଅଧିକାରୀ ଦେଇଥିବା ରିପୋର୍ଟ ଅସଂପୂର୍ଣ୍ଣ ରହିଥିଲା । ରହି ଯାଇଥିବା ଅନ୍ୟ ଦିଗ ଗୁଡିକ ଉପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ କୁହା ଯାଇଛି । ସେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ନିବନ୍ଧକ ଭୀମସେନ ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।