ପୁରୀ : ପ୍ରତ୍ୟକବର୍ଷ ଜୁଲାଇ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ ହୋଇଥାଏ । ଏହି ଅବସରରେ ଡବ୍ଲୁଡବ୍ଲୁଏଫ୍-ଇଣ୍ଡିଆ ଓ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀ ବେଳାଭୂମିରେ ଏକ ପ୍ରେରଣାଦାୟକ ବାଲୁକାକଳା ଅନୁଷ୍ଠିତ ହୋଇଯାଇଛି । ଏହି ବାଲୁକା କଳାକୃତିର ବିଷୟବସ୍ତୁ ରହିଛି INDIA STRIDES WITH THE STRIPES । ପରିବେଶଗତ ସନ୍ତୁଳନ ବଜାୟ ରଖିବା, ଆଶାର ପ୍ରତୀକ ଏବଂ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଦୟତା ଏବଂ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାରେ ବାଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସୁଦର୍ଶନ ତାଙ୍କ ବାଲୁକାକଳାରେ ୫୦ଟି ଛୋଟିଆ ବ୍ୟାଘ୍ର ସହ ଏକ ବିରାଟ ବ୍ୟାଘ୍ର ନିର୍ମାଣ କରିଛନ୍ତି । ବାଘ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏହା ଆମର ପରିବେଶର ରକ୍ଷକ ଏବଂ ଏହା ଆମର ଇକୋସିଷ୍ଟମର ରକ୍ଷକ ଭାବରେ କାର୍ଯ୍ୟ କରେ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ସମେତ ପୁରୀ ବନଖଣ୍ଡ ଅଧିକାରୀ ଏବଂ ଅନେକ ପରିବେଶବିତ୍ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ତେବେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାରେ ପ୍ରାୟ ୧୦ଟନ୍ ବାଲି ଉପଯୋଗ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା ।
