ପୁରୀ- ଦୀର୍ଘ ଏକବର୍ଷ ପରେ ଗଠନ ହୋଇଛି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି। ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରି ଅନେକ ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି। କମିଟିରେ ପାଞ୍ଚଜଣ ଭିନ୍ନଭିନ୍ନ ନିଯୋଗରୁ ସେବାୟତ ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫରୁ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କୁ କମିଟିରେ ରାଜ୍ୟ ସରକାର ସ୍ଥାନ ଦେଇଛନ୍ତି। ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ହେଉଛନ୍ତି ଶ୍ରୀମନ୍ଦିର ପୁରୋହିତ ତଥା 2018ରୁ 2021 ପର୍ଯ୍ୟନ୍ତ ପୂର୍ବତନ ପରିଚାଳନା କମିଟିର ସଦସ୍ୟ ରହିଥିଲେ । ତେଣୁ ତାଙ୍କର ନୂତନ ପରିଚାଳନା କମିଟିରେ ବେଶ୍ ଅଭିଜ୍ଞତା ରହିଛି। ଅନ୍ୟପଟେ ପୂଜାପଣ୍ଡା ନିଯୋଗରୁ ଜଗନ୍ନାଥ ପୂଜାପଣ୍ଡା, ଦଇତାପତି ନିଯୋଗରୁ ଗଣେଶ ଦାସ ମହାପାତ୍ର,, ପଢିଆରୀ ନିଯୋଗରୁ ରାମନାରାୟଣ ଗୋଚ୍ଛୀକାର, ସୁଆରମହାସୁଆର ନିଯୋଗରୁ କୃଷ୍ଣଚନ୍ଦ୍ର ସାମନ୍ତରାୟ ଓରଫ୍ ଟୁକୁ ସାମନ୍ତରାୟ ମଧ୍ୟ ନୂତନ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଭରସା କରି କମିଟିରେ ସ୍ଥାନ ଦେଇଥିବାରୁ ନୂତନ ସଦସ୍ୟ ମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଗାମୀ ଦିନରେ ହେବାକୁଥିବା ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି, ମହାପ୍ରଭୁଙ୍କ ଜମିଜମା ସମସ୍ଯାର ସମାଧାନ, ସେବକଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ଯୋଜନାର କ୍ରିୟାନ୍ୱୟନ, ମହାପ୍ରଭୁଙ୍କ ଜମିର ୟୁନିଫର୍ମ ପଲିସି,,ଆର୍ଥିକ ସ୍ଥିତି ଖରାପ ଥିବା ସେବକଙ୍କ ପାଇଁ ବାସଗୃହ,ଏଭଳି ଅନେକ କିଛି ପ୍ରସ୍ତାବ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସେପଟେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ କଟକଣା, ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ପ୍ରବେଶ ଉପରେ କଟକଣା ପାଇଁ ପୂର୍ବ ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ପରିଚାଳନା କମିଟିରେ ଆଲୋଚନା କରାଯିବ ବୋଲି ନୂତନ ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କହିଛନ୍ତି।
