ଭୁବନେଶ୍ୱର: ପ୍ରତିବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଦେଶରୁ ପ୍ରାୟତଃ ମୌସୁମୀ ବିଦାୟ ନେଉଥିବାବେଳେ ଚଳିତବର୍ଷ ଏଥିରେ ବିଳମ୍ବ ହେବ। ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲୁଏମଓ)ର ଆକଳନ ଅନୁସାରେ, ବର୍ଷର ଶେଷ ଆଡ଼କୁ ଲା’ ନିନା ପରିସ୍ଥିତି ସୃଷ୍ଟି ହେବାର ୬୦% ସମ୍ଭାବନା ରହିଛି। ଏହା ପ୍ରଭାବରେ ଶୀତଋତୁରେ ଦେଶରେ ପ୍ରବଳ ଶୀତ ଅନୁଭୂତ ହେବ। ଲା’ ନିନା କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବ ସମୁଦ୍ର ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାର ବୃହତ୍ ପରିମାଣର ଶୀତଳତାକୁ ବୁଝାଏ। ଭାରତୀୟ ଉପମହାଦେଶରେ ବାୟୁମଣ୍ଡଳୀୟ ସଞ୍ଚାଳନରେ ପରିବର୍ତ୍ତନ ହେବା ଦ୍ୱାରା ଶୀତ ପରିମାଣ ବଢ଼ିପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମଧ୍ୟ ଏହି ପୂର୍ବାନୁମାନ କରି କହିଛି, ଏହି ବର୍ଷର ଶେଷ ଆଡକୁ ଲା’ ନିନା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ପାଣିପାଗର ବଡ଼ ପରିବର୍ତ୍ତନ ସୃଷ୍ଟି ହେବାକୁ ଯାଉଛି। ନଭେମ୍ବରରୁ ଫେବୃଆରୀ ଦେଶରେ ପ୍ରବଳ ଶୀତ ଅନୁଭୂତ ହେବ। ଓଡ଼ିଶାରେ ମଧ୍ୟ ଶୀତର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ସୂଚନାଥାଉ କି, ରାଜ୍ୟରେ ମାସକ ମଧ୍ୟରେ ପଛକୁ ପଛ ୪ଟି ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଲାଗି ରହିଛି। ସେପ୍ଟେମ୍ବର ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
