ଭୁବନେଶ୍ବର : ମହାନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ବନ୍ୟା ହୁଏ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ ଅଛି । ବନ୍ୟା ହେଲେ ସବୁ ପରିସ୍ଥିତି ମୁକାବିଲା ପାଇଁ ରାଜସ୍ବ ବିଭାଗ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳୀରେ ବର୍ତ୍ତମାନ ୬.୧୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସାରିଛି । ତାପରେ କମିବ । କାରଣ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ସେହିପରି ଆଖିଦୃଶିଆ ବର୍ଷା ହୋଇନି । ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ରହିଛି । ତେଣୁ କିଛି ଅସୁବିଧା ନାହିଁ । ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛନ୍ତି । ବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର ସବୁ ଗେଟ୍ ବନ୍ଦ ଅଛି । କେବଳ ୩ ବ୍ଲକରେ ୫୦ ମିମି ବର୍ଷା ହୋଇଛି । ଗୋଟେ ବ୍ଲକ୍ରେ ଯାହା ଢେଙ୍କାନାଳ ଭୁବନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।
