ଭବାନୀପାଟଣା,୦୭/୦୯: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପ୍ରସିଦ୍ଧ ବିଜୟ ଛତର ଯାତ୍ରା ଆସନ୍ତା ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ । ମା’ଙ୍କ ଏହି ବାର୍ଷିକ ଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶନିବାର ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁଯାୟୀ ଆସନ୍ତା ୨୯ ତାରିଖ ମହାଷ୍ଟମୀ ରାତିରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ ।

୩୦ ତାରିଖ ମହାନବମୀରେ ଧାର୍ଯ୍ୟ ସମୟ ନିର୍ଘଣ୍ଟ ପ୍ରାତଃ ସାଢ଼େ ୪ଟା ସୁଦ୍ଧା ଜେନାଖାଲ ପୂଜାର୍ଚ୍ଚନା କରାଯିବ । ଏହା ପରେ ଘଣ୍ଟବାଦ୍ୟ, ସାଂସ୍କୃତିକ ଦଳ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଛତର ଯାତ୍ରା ରାଜପ୍ରସାଦସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିରକୁ ବିଜେ କରିବ । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଶୋଭାଯାତ୍ରା ପହଞ୍ଚିବାକୁ ସମୟ ଧାର୍ଯ୍ୟ ରହିଛି । ଅକ୍ଟୋବର ୧ରେ ବିଜୟା ଦଶମୀରେ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।
