ମୁମ୍ବାଇ ୧୪।୦୯ : ଏସିଆ କପ୍ ୨୦୨୫ । ସୁପର ସଣ୍ଡେରେ ସୁପର ଫାଇଟ୍। ଦୁବାଇର କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସାମ୍ନାସାମ୍ନି ହେବେ। ରାତି ୮ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ଗ୍ରୁପ ଷ୍ଟେଜ୍ର ମୁକାବିଲା ଖେଳାଯିବ।

ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ତିକ୍ତ ରହିଥିବା ସତ୍ତେ୍ୱ କ୍ରିକେଟ୍ ମଇଦାନରେ ରବିବାର ଦୁଇ ଦଳ ମୁହାଁମୁହିଁ ହେବେ। ଏସିଆ କପ୍ କ୍ରିକେଟ୍ରେ (ଟି-ଟ୍ୱେଣ୍ଟି) ଦୁବାଇରେ ସବୁଠୁ ବଡ଼ ଲଢ଼େଇ ହେବ। ଆଉ ଏହି ଲଢ଼େଇ ଦେଖିବା ପାଇଁ କୋଟି କୋଟି ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ରବିବାର ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍ରେ ୟୁଏଇକୁ ମାତ୍ର ୨୭ଟି ବଲରେ ପରାଜିତ କରିଥିଲା। ସେମିତି ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ରେ ଓମାନକୁ ୯୩ ରନ୍ରେ ହରାଇଥିଲା । ଅଲରାଉଣ୍ଡର ସଲମାନ ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବେଶ ଆଶାବାଦୀ ରହିଛି। କିନ୍ତୁ ଭାରତୀୟ ଯୁବ ଦଳକୁ ଟକ୍କର ଦେବା ସହଜ ହେବ ନାହିଁ।
ପୂର୍ବ ରେକର୍ଡ ଅନୁସାରେ, ୨୦୨୧ରୁ ଏ ପର୍ଯ୍ୟନ୍ତ ଉଭୟ ଦଳ ୫ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି। ଭାରତ ୩ଟି ଓ ପାକିସ୍ତାନ ୨ଟିରେ ବିଜୟୀ ହୋଇଛି। ଶେଷ ୨ ମ୍ୟାଚରେ ଭାରତ ଅପରାଜେୟ ରହିଛି। ରବିବାର ଦୁବାଇରେ ଭାରତ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଅଛି।
